ଦୁର୍ଗାପୂଜାରେ ମନମୋହୁଛି ଦାଣ୍ଡିଆ
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ବୃହତ୍ତମ ଗ୍ରାମ ତୁକଲାରେ ଆରମ୍ଭ ହୋଇଛି ନବରାତ୍ର ଦୁର୍ଗାପୂଜା । ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା ସହ ପୂଜାର୍ଚ୍ଚନା ଚାଲିଛି । ଦେବୀ ଦୁର୍ଗାଙ୍କ ମହିଷାମର୍ଦ୍ଦିନୀ ରୂପ ସହ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ସୁନ୍ଦର ଭାବରେ ନିର୍ମାଣ ହୋଇଛି । ୧୯୭୨ମସିହାରେ ତୁକଲାରେ ଦୁର୍ଗାପୂଜା ଆରମ୍ଭ କରାଯାଇଥିବାବେଳେ ଏବର୍ଷ ୫୩ବର୍ଷ ପୂର୍ଣ୍ଣ ହୋଇଛି । ପୂର୍ବରୁ ତିନିଦିନ ଧରି ପୂଜା ହେଉଥିବାବେଳେ ଚାରି ବର୍ଷ ହେଲା ନବରାତ୍ର ପୂଜାର ଆରମ୍ଭ କରାଯାଇଛି । ମା’ଙ୍କୁ ରୌପ୍ୟ ଅଳଙ୍କାରରେ ସଜାଯାଇଛି । ପୂଜା ପାଳନ ସହ ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି ଓ ବିଜୟା ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା କମିଟି ପ୍ରକାଶ କରିଛି । ତୁକଲା ଦୁର୍ଗାପୂଜାର ଆକର୍ଷଣ ସାଜିଛି ଗାଁର ଝିଅମାନଙ୍କ ଦାଣ୍ଡିଆ ନାଚ । ନବରାତ୍ରିରେ ଦାଣ୍ଡିଆ ନାଚର ମହତ୍ତ୍ୱ ରହିଥାଏ । ପୂର୍ବରୁ ଅନ୍ୟ ଜିଲ୍ଲାରୁ ଦାଣ୍ଡିଆ ଦଳ ଆସି ଏଠାରେ ନୃତ୍ୟ ଦେଖାଉଥିଲେ । ତିନି ବର୍ଷ ଠାରୁ ଗ୍ରାମର ଝିଅମାନେ ଦାଣ୍ଡିଆ ଶିଖିବା ସହ ପ୍ରତି ସନ୍ଧ୍ୟାରେ ପରିବେଷଣ କରୁଛନ୍ତି । ଏହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।