ଅନ୍ତର୍ଜାତୀୟ ସୁରଜକୁଣ୍ଡ ମେଳାରେ ଯୋଗଦେବେ ପ୍ରସ୍ତର ଶିଳ୍ପୀ ସୁଶାନ୍ତ
ବାଲିଚନ୍ଦ୍ରପୁର: ଚଳିତ ମାସ ୭ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବୟନ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହରିୟାଣାର ଫରିଦାବାଦ ସୁରଜକୁଣ୍ଡରେ ହେବାକୁ ଥିବା ଆନ୍ତର୍ଜାତୀୟ ମେଳାରେ ଯୋଗଦେବେ ବଡ଼ଚଣା ବ୍ଲକ ପଲାଇ ଗ୍ରାମର ଯୁବ ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ । ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ସୁଶାନ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମନୋନିତ କରାଯାଇଥିବା ବେଳେ ଆସନ୍ତାକାଲି ହରିୟାଣା ଅଭିମୁଖେ ଯାତ୍ରା କରିବେ । ମେଳାରେ ସାରା ଭାରତ ବର୍ଷରୁ ହସ୍ତତନ୍ତ୍ର ଓ ହସ୍ତଶିଳ୍ପରେ ପାରଦର୍ଶିତା ଥିବା ପ୍ରତିଭା ମାନଙ୍କୁ ମନୋନିତ କରାଯାଇ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି । ସୁଶାନ୍ତ ଏହି ମେଳାରେ ଓଡ଼ିଶାର ସୁନ୍ଦର ପଥର ନିର୍ମିତ କରୁକାର୍ଯ୍ୟକୁ ପ୍ରଦର୍ଶିତ କରାଇବେ । ଯୁବପ୍ରସ୍ତର ଶିଳ୍ପୀ ସୁଶାନ୍ତଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା କାମନା କରିଛନ୍ତି । ଏଠାରେ ପ୍ରକାଶ ଥାଉକି ସେ ପୂର୍ବରୁ ୨୦୧୯ ମସିହା ପ୍ରତିଯୋଗିତା ପାଇଁ ୨୦୨୨ରେ ମହାମହିମ ରାଷ୍ଟ୍ରପତି ପକ୍ଷରୁ ମନ୍ତ୍ରୀ ପିୟୁସ୍ ଗୋଏଲ ପୁରସ୍କୃତ କରିଥିବା ସହ ଜାତୀୟ ଓ ରାଜ୍ୟ ସ୍ତରରେ ତାଙ୍କର ପ୍ରସ୍ତରଶିଳ୍ପରେ ପାରଦର୍ଶିତା ପାଇଁ ବହୁବାର ପୁରସ୍କୃତ ହୋଇଛନ୍ତି ।