ଅନ୍ଧ ବିଶ୍ୱାସ; ଗାଁ ଦାଣ୍ଡରେ ବେତମାଡ଼; ଦୁଇ ଭଉଣୀ ଗୁରୁତର
କବାଟବନ୍ଧ/ଧର୍ମଶାଳା : ବିଜ୍ଞାନ ଯୁଗରେ ସ୍ୱାସ୍ଥ୍ୟ ବିଜ୍ଞାନ ସୋପାନରେ ପହଁଚିଲାଣି । କିନ୍ତୁ ଆଜିବି ଅନ୍ଧ ବିଶ୍ୱାସ ଦୂର ହୋଇପାରୁନି । ସୁସ୍ଥ ହେବା ପାଇଁ ଠାକୁରାଣୀଙ୍କ ପାଖରେ ଅଧିଆ ପଡ଼ିବା ଏବଂ ହୁକୁମ ଦେଉଥିବା ଦେହୁରୀଙ୍କ ବେତମାଡ଼ ଖାଇବା ଭଳି ଘଟଣା ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ପରି ଲାଗୁଛି । ଠାକୁର ହେଉ କି ଠାକୁରାଣୀଙ୍କ ଉପରେ ବିଶ୍ୱାସ ସମସ୍ତେ କରିଥାନ୍ତି, କିନ୍ତୁ ଅନ୍ଧ ବିଶ୍ୱାସକୁ ଗ୍ରହଣ କରି ଗାଁ ଦାଣ୍ଡରେ ପେତମାଡ଼ ଖାଇ ଦୁଇ ଭଉଣୀ ଗୁରୁତର ହେବା ଭଳି ଘଟଣା ଧର୍ମଶାଳା ବ୍ଲକ ତଥା ଜେନାପୁର ଥାନା ପନ୍ତୁରୀ ଗ୍ରାମରେ ଘଟିଛି । ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଗ୍ରାମରେ ଘଟିଥିବା ଅନ୍ଧ ବିଶ୍ୱାସ ଘଟଣା ଥାନାରେ ପହଁଚିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଖବରରୁ ପ୍ରକାଶ ଯେ ପନ୍ତୁରି ଗାଁ ର ପ୍ରଶାନ୍ତ ଲେଙ୍କାଙ୍କ ନାବାଳିକା ଝିଅ ଦୂତି ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଉଥିଲେ । ଝିଅର ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ଗାଁରେ ଥିବା ମଙ୍ଗଳା ମନ୍ଦିରରେ ଲାଗୁଥିବା ଠାକୁରାଣୀଙ୍କ ମନ୍ଦିର ପାଖକୁ ନେଇ ଅଧିଆ ପକାଇଥିଲେ । ସେଠାରେ ହୁକୁମ ଦେଉଥିବା କୁଆଖିଆ ଥାନା ଆଦମପୁର ଗ୍ରାମର ତୁଳସୀ ମହାନ୍ତ ଏବଂ ପନ୍ତୁରୀ ଗ୍ରାମର ଗେଡି ଦେହୁରୀ ପ୍ରଶାନ୍ତଙ୍କ ଦୁଇ ଝିଅ ଦୂତୀ ଏବଂ ଜ୍ୟୋସ୍ନାଙ୍କୁ ଗାଁ ଦାଣ୍ଡରେ ବେତ ବାଡ଼ିରେ ନିର୍ଧୁମ ପ୍ରହାର କରିଥିଲେ । ଫଳରେ ନାବାଳିକା ଦୁଇଜଣ ଗୁରୁତ୍ୱର ଗୁରୁତର ହୋଇପଡ଼ିଥିଲେ । ଦୁଇ ଭଉଣୀଙ୍କୁ ପରିବାର ଲୋକେ ଉଦ୍ଧାର କରି ଧର୍ମଶାଳା ମେଡ଼ିକାଲରେ ଭର୍ତି କରିଥିଲେ । ଜଣେ କଟକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି । ଗାଁରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ସେପଟେ ଜେନାପୁର ପୁଲିସ ପନ୍ତୁରି ଗାଁରେ ପହଁଚି ଉତ୍ୟକ୍ତ ଲୋକଙ୍କ କବଳରୁ ତୁଳସୀ ମହାନ୍ତ ସମେତ ଦୁଇ ଜଣଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଅଟକ ରଖିଛି । ଗ୍ରାମବାସୀ ଏହାର ବିରୋଧ କରିବା ସହ ଏନେଇ ନାବାଳିକାଙ୍କ ବାପା ଜେନାପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୮୫/୨୫ରେ ମାମଲା ରୁଜ କରି ତଦନ୍ତ ଚଳାଇଛି ।