ହାତ ଚିହ୍ନରେ ଲଢିବାକୁ ମନ ବଳାଇଛନ୍ତି ମାଗୁଣି
କୁଆଖିଆ: ଜିଲ୍ଲା ତଥା ରାଜ୍ୟରେ ଏକ ପରିଚିତ ଚେହେରା ହେଲେ ମାଗୁଣି ଜେନା । ଦଳିତଙ୍କ ଅଧିକାର ପାଇଁ ଲଢୁଆ ସୈନିକ ଭାବେ କରନ୍ତି କାର୍ଯ୍ୟ । ବିଭିନ୍ନ ସାମାଜିକ ଆନେ୍ଦାଳନର ସୁତ୍ରଧର ହୋଇପାରିଥିବା ମାଗୁଣି ଜେନା ଯାଜପୁର ସଂସଦୀୟ କ୍ଷେତ୍ରରୁ ଲଢିବାକୁ ମନ ବଳାଇଛନ୍ତି । ଜାତୀୟ କଂଗ୍ରେସ ଦଳରୁ ନିର୍ବାଚନ ଲଢିବାକୁ ସେ ଆବେଦନ କରିଛନ୍ତି । କଂଗ୍ରେସ ଏଯାବଦ ପ୍ରାର୍ଥୀ ଘୋଷଣା କରିନି । ଘୋଷଣାକୁ ଅପେକ୍ଷା ନକରି ମାଗୁଣି କିନ୍ତୁ ଗାଁକୁ ଗାଁ ବୁଲି ନିଜ ସପକ୍ଷରେ ଭୋଟରଙ୍କୁ ଭେଟି ପ୍ରଚାର କଲେଣି । ତାଙ୍କର ପ୍ରଚାର କରିବା କଥା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚୟନକର୍ତ୍ତା ବି ତାଙ୍କ କଥା ଚିନ୍ତା କରୁଥିବା ଅସମର୍ଥିିତ ସୂତ୍ରରୁ ଜାଣିବାକୁ ମିଳିଛି । ମାଗୁଣି କଂଗ୍ରେସ୍ର ଜଣେ ଦୃଢ଼ ସମର୍ଥକ । ଯାଜପୁର ଜିଲା ବେରୁଦା ପଞ୍ଚାୟତ ଆମ୍ପୋର ଗ୍ରାମର ସ୍ୱର୍ଗତ୍ ବଟକୃଷ୍ଣ ଜେନାଙ୍କ ପୁଅମାଗୁଣି ସ୍ନାତକ ଶିକ୍ଷାଗତ ଯୋଗ୍ୟତା ପରେ ୧୯୯୩ ମସିହାରେ ଯାଜପୁର ରୋଡ଼ ତହସିଲ ଅଧିନରେ ଥିବା ବରୁଣ୍ଡେଇ ଆର୍ଆଇ ସର୍କଲରେ ୪୪ ଦିନିଆ ୨ବର୍ଷ କାର୍ଯ୍ୟ କରିବା ପରେ ୨୦୦୩ରେ ଯାଜପୁର ବ୍ଲକର ଜଳ ପରିମଳ ଯୋଜନାରେ ଏସ୍ଇଏମ୍ ଭାବରେ ୫ ବର୍ଷ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ପରେ ୨୦୦୭ ମସିହାରେ ଜିଲ୍ଲାର ଭାଗଚାଷୀ ଓ କ୍ଷୁଦ୍ର ଚାଷୀ ମାନଙ୍କ ଉନ୍ନତି ପାଇଁ ମା'ବିରଜା କୃଷକ ସଙ୍ଗଠନ ଗଠନ କରି ତାର ସଭାପତି ଭାବରେ ଦାୟିତ୍ୱ ନିର୍ବାହ କରିବା ସହିତ ୨୦୦୮ ମସିହାରେ ଗଠିତ ହୋଇଥିବା ଓଡିଶା ଦଳିତ ଅଧିକାର ମଞ୍ଚରେ ଦୀର୍ଘ ୬ ବର୍ଷ ସୁଚାର ୁରୂପେ କାର୍ଯ୍ୟ ତୁଲାଇ ଥିଲେ ।୨୦୧୩ ମସିହାରେ ଜିଲ୍ଲାର ଯାଜପୁର, କୋରେଇ, ଦାନଗଦୀ, ରସୁଲପୁର ବ୍ଲକ ମାନଙ୍କର ସପ୍ତମରୁ ଦ୍ୱାଦଶ ଶ୍ରେଣୀର ଦଳିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବୃତି ପାଇବା ପାଇଁ ବ୍ଲକ କୋ-ଅର୍ଡିନେଟର ଭାବରେ ୨୦୧୫ ପର୍ଯ୍ୟନ୍ତ ସଫଳତାର ସହିତ କାର୍ଯ୍ୟ କରିଥିଲେ । ଏଥିସହିତ ୨୦୧୫ ମସିହା ଠାରୁ ୨୦୧୭ ପର୍ଯ୍ୟନ୍ତ ଓଡିଶା ମତ୍ସ୍ୟଜୀବି ଫୋରମ୍ ଯାଜପୁର ଜିଲ୍ଲା ସମ୍ପାଦକ ଭାବରେ ମତ୍ସ୍ୟଜୀବି ଙ୍କ ଅଧିକାର ପାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ପରେ ଦଳିତ ମାନଙ୍କ ବିକାଶ ପାଇଁ ୨୦୧୮ ମସିହା ମାର୍ଚ୍ଚ ୩ ତାରିଖରେ ରାଜ୍ୟର ୩୦ଟି ଜିଲାର ସମଭାବାପନ୍ନ ବ୍ୟକ୍ତି ବିଶେଷଙ୍କୁ ଏକାଠି କରି ଓଡିଶା ମାନବାଧିକାର ମଂଚ ଗଠନ କରି ତାର ଆବାହକ ଭାବରେ ଏଯାଏଁ କାର୍ଯ୍ୟ ତୁଲାଇ ଆସୁଛନ୍ତି । ଶ୍ରୀ ଜେନାଙ୍କ ପରିବାର ପୁରୁଷାନୁକ୍ରମେ ଜାତୀୟ ଦଳକୁ ସମର୍ଥନ କରି ଆସୁଥିବା ବେଳେ ୨୦୦୭ ମସିହାରେ ତାଙ୍କ ସହ ଧର୍ମିଣୀ କାଦମ୍ବିନୀ ଜେନାଙ୍କୁ ବ୍ଲକ କଂଗ୍ରେସ୍ ପକ୍ଷରୁ ସରପଞ୍ଚ ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଥିଲା । ଏହା ଛଡା ଶ୍ରୀ ଜେନାଙ୍କ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ପ୍ରମୁଖ ନେତା ମାନଙ୍କ ସହିତ ସୁ-ସମ୍ପର୍କ ରହି ଆସିଥିବା ବେଳେ ଅଧିକାଂଶ ସମୟ ସମାଜସେବାରେ ନିଜର ସମୟ ଅତିବାହିତ କରୁଥାନ୍ତି । ଗାନ୍ଧୀ, ଗୋପବନ୍ଧୁ ,ଆମ୍ବେଦକର, ଜ୍ୟୋତିବାଈ ଫୁଲେ, ଭୀମ ଭୋଇ, ବିର୍ଶାମୁଣ୍ଡା ଆଦି ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ଜେନା ଗଣତନ୍ତ୍ରର ସାମ୍ବିଧାନିକ ବ୍ୟବସ୍ଥାର ଦୃଢ ସମର୍ଥକ ଅଟନ୍ତି । ତାଙ୍କ ମତରେ ସାମ୍ବିଧାନିକ ବ୍ୟବସ୍ଥାରେ ଥିବା ବ୍ୟକ୍ତି ବା ସମାଜର ଅଧିକାରକୁ କ୍ଷୁର୍ଣ୍ଣ କରା ନଯାଇ ସାମାଜିକ ସମତା,ଅର୍ଥନୈତିକ ବିକାଶ ଏବଂ ରାଜନୈତିକ ଭାଗିଦାରିତାରେ ଜାତି, ଧର୍ମ, ଲିଙ୍ଗର ବିଭେଦକୁ ସ୍ଥାନ ନଦେବା ତାଙ୍କର ମୁଳ ଲକ୍ଷ୍ୟ । ତେବେ ଶ୍ରୀ ଜେନା ଯାଜପୁର ସଂସଦୀୟ ଆସନରୁ ଲଢିବା ପାଇଁ ବହୁଦିନ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଭାସମିତି, ଆଲୋଚନା ଚକ୍ର, କଂଗ୍ରେସ୍ ଦଳର ସମର୍ଥôତ ବ୍ୟାନର ଓ ପ୍ରଚାର ପ୍ରସାର କରି ଆସୁଥିବା ବେଳେ ଦଳ ତାଙ୍କୁ ନିଶ୍ଚିତ ଭାବରେ ଏହି ଆସନରୁ ଲଢିବା ପାଇଁ ସୁଯୋଗ ଦେବ ବୋଲି ଶ୍ରୀ ଜେନା ଆଶାବାଦୀ ଅଛନ୍ତି ।