ଅପରେସନ ‘ପ୍ରହାର'  ୪ ଦୋକାନରୁ ନିଶାଦ୍ରବ୍ୟ  ଜବତ

ହିଞ୍ଜିଳିକାଟୁ:  ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ସିଗାରେଟ୍, ଗୁଟ୍ଖା, ପାନମସଲା ଭଳି ନିକୋଟିନ୍ ଯୁକ୍ତ ଦ୍ରବ୍ୟ ବିକ୍ରି କରିବା ଆଇନାନୁଯାୟୀ ନିଷିଦ୍ଧ କରାଯାଇଛି । ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଅପରେସନ ‘ପ୍ରହାର'ଜରିଆରେ ଏହି ଆଇନର କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ଦୂରତାରେ ଦୋକାନ ଖୋଲି ସିଗାରେଟ୍, ବିଡି, ଗୁଟଖା, ପାନମସଲା ବିକ୍ରି କରୁଥିବା ୪ଟି ଦୋକାନରେ ଅତର୍କିତ ଚଢ଼ାଉ କରାଯାଇଛି । ଉକ୍ତ ଦୋକାନ ଗୁଡିକରୁ ବିପୁଳ ପରିମାଣର ଗୁଟଖା, ସିଗାରେଟ୍, ବିଡି, ପାନ ମସଲା ସମେତ ନିକୋଟିନ ଯୁକ୍ତ ନିଶାଦ୍ରବ୍ୟ ଜବତ କରାଯିବା ସହ ସଂପୃକ୍ତ ଦୋକାନ ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି । ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନିଦେ୍ର୍ଦଶରେ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ, ଏଏସଆଇ ସ୍ୱଦେଶ ଦାଶ, କନେଷ୍ଟବଳ ଦଣ୍ଡପାଣି ମଲ୍ଲିକ, ବୁଲୁ ସେଠି ପ୍ରମୁଖ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ ।  ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ସ୍ଥାନୀୟ ଥାନା ଇଲାକାର ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନରେ ଚଢ଼ାଉ କରାଯିବ ବୋଲି ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।