ଜିଲ୍ଲାପରିଷଦର ସାଧାରଣ ବୈଠକ: ସାର କଳାବାଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଂସଦଙ୍କ ନିଦେ୍ର୍ଦଶ

 ନବରଙ୍ଗପୁର : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠତମ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝି, ସାଂସଦ ମଭଜ୍ଜିବୁଲ୍ଲା ଖାଁ, ଡ଼ାବୁଗାଁ  ବିଧାୟକ ମନୋହର ରାନ୍ଧାରୀ, ନବରଙ୍ଗପୁର ବିଧାୟକ  ଗୌରୀ ଶଙ୍କର ମାଝୀ, ଝରିଗାଁ  ବିଧାୟକ ନରସିଂହ ଭତରା, ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିପିକା ବାରୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ବୈଠକରେ ନବରଙ୍ଗପୁର ଜିଲ୍ଲାର ୨୬ ଜଣ ଜିଲ୍ଲାପରିଷଦ ସଭ୍ୟ, ୧୦ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ଯୋଗ ଦେଇ ନିଜ ଅଞ୍ଚଳରେ ବିଭିନ୍ନ ସମସ୍ୟା ଓ ଅସୁବିଧା, ଉନ୍ନତିମୂଳକ କାର୍ଯ୍ୟର ତଥ୍ୟ, ଅଭିଯୋଗ ଉପରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ ପଚାରିଥିଲେ । ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରାମୟ ଯୋଜନାରେ ସମସ୍ତ ଔଷଧ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ଏହାସହିତ ୪୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୬୯ଟି ଉପସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପ୍ରତ୍ୟେକ ମାସରେ ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ ଶିବିର ଆୟୋଜନ କରାଯାଉଛି । ଗ୍ରାମ୍ୟ ପାନୀୟ ଜଳ ବିଭାଗର ସୂଚନା ଅନୁଯାୟୀ ଜିଲ୍ଲାର ମୋଟ ୧୮୯ ପଞ୍ଚାୟତରୁ ୮୫୫ ପଡା ଗ୍ରାମରେ ୧୮୮୨୨ ନଳକୂପ, ୫୧୪ ଟି ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଏବଂ ୪୦୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଛି । ଜିଲ୍ଲାପରିଷଦ ସଭ୍ୟ ବିଭିନ୍ନ ଗ୍ରାମ ରେ ନଳକୂପ ମରାମତି ଠିକ୍ ସମୟରେ ହେଉନାହିଁ ଏବଂ ଘରକୁ ଘର ପାଇପ ଲାଇନ୍ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦେବାକୁ କହିଥିଲେ । ଖାଦ୍ୟ ଯୋଗାଣ ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ୩,୧୪,୯୩୬ ରାସନ୍କାର୍ଡ ୧୦୪୯୭୭୯ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ମକା ଚାଷ ରେ ଅତ୍ୟଧିକ ସାରର ପ୍ରୟୋଗ ଉପରେ ସାଂସଦ ବଳଭଦ୍ର ମାଝି ପଞ୍ଜୀକୃତ ଚାଷୀଙ୍କ ସମୁଦାୟ ଚାଷଜମିକୁ ରେକର୍ଡଭୁକ୍ତ କରି ଏହି ଅନୁଯାୟୀ ସାରଯୋଗାଣ, ପ୍ରାଧିକୃତ ବ୍ୟବସାୟୀଙ୍କୁ ଛାଡି ବେଆଇନ ସାର ଗଚ୍ଛିତ ଓ ବିକ୍ରୟ କେନ୍ଦ୍ରମାନଙ୍କରେ ଧରପଗଡ କରିବାକୁ ମୁଖ୍ୟ କୃଷି ଅଧିକାରୀଙ୍କୁ କହିଥିଲେ । ଏଥିସହିତ ଜିଲ୍ଲା ପରିଷଦ ସଭ୍ୟ ଲ୍ୟାମ୍ପସ୍ରେ ସାର ଯୋଗାଣରେ ଦୁର୍ନୀତି ରୋକିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ ।