‘ଅପରେସନ ବ୍ଲାକ ଫରେଷ୍ଟ’ ଯବାନ ସମ୍ମାନିତ : ଦେଶ ନକ୍ସଲମୁକ୍ତ ନହେବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ: ଶାହ

 ନୂଆଦିଲ୍ଲୀ :  କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ’ରେ କାରେଗୁଟ୍ଟାଲୁ ପାହାଡ଼ରେ ସଫଳତା ପାଇଥିବା ସିଆରପିଏଫ୍, ଛତିଶଗଡ଼ ପୁଲିସ୍, ଡିଆରଜି ଓ କୋବ୍ରା ବାହିନୀର ସାହସୀ ଯବାନମାନଙ୍କୁ ସମ୍ମାନିତ କରିଛନ୍ତି  । ଏହି ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ  ବିଷ୍ଣୁ ଦେବ ସାଇ ଓ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।
ଶାହ କାରେଗୁଟ୍ଟାଲୁ ପାହାଡ଼ରେ ଏପର୍ଯ୍ୟନ୍ତ କରାଯାଇଥିବା ସର୍ବବୃହତ ନକ୍ସଲ ବିରୋଧୀ ଅପରେସନ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ' କୁ ସଫଳ କରିବାରେ ବୀରତ୍ୱ ପ୍ରଦର୍ଶନ କରିଥିବାରୁ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ‘ଅପରେସନ ବ୍ଲାକ ଫରେଷ୍ଟ’ ସମୟରେ ଯବାନମାନଙ୍କ ସାହସିକତା ଓ ବୀରତ୍ୱକୁ ନକ୍ସଲ ବିରୋଧୀ ଅଭିଯାନ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବେ ସ୍ମରଣ କରାଯିବ । ଯେ ପର୍ଯ୍ୟନ୍ତ ସମସ୍ତ ନକ୍ସଲ ଆତ୍ମସମର୍ପଣ କରିବା, ଧରାପଡ଼ିବା କିମ୍ବା ସମୂଳ ନିଶ୍ଚିହ୍ନ ନହେବା ପର୍ଯ୍ୟନ୍ତ ମୋଦି ସରକାର ବିଶ୍ରାମ ନେବେ ନାହିଁ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱରେ ଭାରତକୁ ଶୀଘ୍ରହି ନକ୍ସଲ ମୁକ୍ତ କରାଯିବ । ଗରମ, ଉଚ୍ଚÿ ସ୍ଥାନ ଓ ପ୍ରତ୍ୟେକ ପାଦରେ ଆଇଇଡିର ବିପଦ ସତ୍ତ୍ୱେ ସୁରକ୍ଷା ବାହିନୀ ଉସôାହର ସହିତ ଅପରେସନକୁ ସଫଳ କରିଥିଲେ । ନକ୍ସଲଙ୍କ ବେସ୍ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ । 
ନକ୍ସଲମାନେ ଦେଶର କମ୍ ବିକଶିତ ଅଞ୍ଚଳକୁ ବ୍ୟାପକ କ୍ଷତି ପହଞ୍ଚାଉଛନ୍ତି, ବିଦ୍ୟାଳୟ, ଡାକ୍ତରଖାନା ବନ୍ଦ କରିଦେଉଛନ୍ତି ଓ ସରକାରୀ ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ଦେଉନାହାଁନ୍ତି । ସେ କହିଥିଲେ ନକ୍ସଲ ବିରୋଧୀ ଅଭିଯାନ କାରଣରୁ ପଶୁପତିନାଥ ଠାରୁ ତିରୁପତି ପର୍ଯ୍ୟନ୍ତ ୬.୫ କୋଟି ଲୋକଙ୍କ ଜୀବନରେ ଏକ ନୂଆ ସୂର୍ଯେ୍ୟାଦୟ ଆସିଛି । ନକ୍ସଲ ବିରୋଧୀ ଅପରେସନରେ ଗୁରୁତର ଶାରୀରିକ ଆଘାତ ପାଇଥିବା ସୁରକ୍ଷା ବାହିନୀଙ୍କ ଜୀବନକୁ ସୁଗମ କରିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ମୋଦି ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ଶାହ କହିଥିଲେ ।