ଖାଲି ହେଉଛି କଂଗ୍ରେସ ଭାଡ଼ି; ବିଜେପି ଶିବିର ମୁହାଁ କର୍ମୀ-କାର୍ଯ୍ୟକର୍ତ୍ତା

ଯଖପୁରା,: ବିଭୂତି ଭୂଷଣ ରାଉତଙ୍କୁ ପ୍ରାର୍ଥୀ କରିବା ପରେ ସୁକିନ୍ଦା କଂଗ୍ରେସରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ପ୍ରାକ୍ତନ ବିଧାୟକ ଶରତ ରାଉତଙ୍କୁ ସାମାଜିକ ଗଣମାଧ୍ୟମରେ ଅନେକ କର୍ମୀ କଟାକ୍ଷ କରୁଥିବା ବେଳେ ଇତି ମଧ୍ୟରେ ଅନେକ କାର୍ଯ୍ୟକର୍ତ୍ତା ଏବଂ କର୍ମୀ ଦଳକୁ ବାଏ ବାଏ କଲେଣି ।
ନିର୍ବାଚନ ତାରିଖ ଯେତେ ନିକଟତର ହେଉଛି ସୁକିନ୍ଦା ରାଜନୀତି ସେତେ ଗରମ ହେଉଛି । ପ୍ରତିଦିନ ଦଳ ବଦଳ ହେଉଥିବାର ଦେଖିବାକୁ ମିଳୁଛି । ପରିବର୍ତ୍ତନର ନାରା ଦେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛି ବିଜେପି । ବିକାଶର ମୂଦ୍ଦା ନେଇ ଲୋକଙ୍କୁ ନିଜ ପକ୍ଷଙ୍କୁ ଆଣିବାକୁ ଚେଷ୍ଟାରେ ଅଛି ବିଜେଡି । ଏହାରି ଭିତରେ ପଛରେ ପଡ଼ିଯାଇଛି ସୁକିନ୍ଦା କଂଗ୍ରେସ । ପ୍ରାର୍ଥୀ ଘୋଷଣା ପର ଠାରୁ ସୁକିନ୍ଦା କଂଗ୍ରେସରେ ଲାଗି ରହିଛି ଅନ୍ତକନ୍ଦଳ । ପ୍ରାର୍ଥୀ ଘୋଷଣା ପରେ ସୁକିନ୍ଦା କଂଗ୍ରେସ ତରଫରୁ ଏକ ପ୍ରେସ ରିଲିଜ କରି କର୍ମୀ ମାନେ ତାଙ୍କର ଅସନ୍ତୋଷ ଝାଡ଼ିଥିଲେ । ଏମିତି କି ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ । ଆଗାମୀ ଦିନରେ ଯଦି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ଘୋଷଣା ହୋଇଥିବା କଂଗ୍ରେସ ପ୍ରାର୍ଥୀ ବଦଳା ନ ଯାଏ ତେବେ ସମୂହ କଂଗ୍ରେସ କର୍ମୀ ଇସ୍ତଫା ଦେବେ ବୋଲି ମଧ୍ୟ କହିଥିଲେ । ସୁକିନ୍ଦା କଂଗ୍ରେସରେ ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି । ସୁକିନ୍ଦା କଂଗ୍ରେସର ଆଗ ଧାଡ଼ିର କର୍ମୀ ଏବେ କଂଗ୍ରେସ ଛାଡି ବିଜେପି ଶିବିରରେ ଯୋଗ ଦେଇଛନ୍ତି । କେବଳ ଯେ ମୁଖ୍ୟ କଂଗ୍ରେସ ନେତାମାନେ ଯୋଗଦେଇଛନ୍ତି ତାହା ନୁହେଁ ତାଙ୍କ ସହିତ ଅନେକ କର୍ମୀ ମଧ୍ୟ ବିଜେପି ମୁହାଁ ହୋଇଛନ୍ତି । ଏମିତି କି କଂଗ୍ରେସର ପ୍ରାକ୍ତନ ବିଧାୟକ ଶରତ ରାଉତଙ୍କ ଯେଉଁ ସବୁ ପଞ୍ଚାୟତରେ ନିଜର ଦବଦବା ରହିଥିଲା ସେହି ସବୁ ପଞ୍ଚାୟତରୁ ସର୍ବାଧିକ କଂଗ୍ରେସ କର୍ମୀ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ଏକଦା ଚିତିରୀ ଗୋବର୍ଦ୍ଧନପୁର ପଞ୍ଚାୟତ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଗଡଥିଲା । ଏହି ସବୁ ପଞ୍ଚାୟତରୁ ବର୍ତ୍ତମାନ ସର୍ବାଧିକ କଂଗ୍ରେସ କର୍ମୀ ବିଜେପିରେ ଯୋଗଦେଇଥିବାର ନଜିର ଆସୁଛି । ସୁକିନ୍ଦା କଂଗ୍ରେସର ଆଗଧାଡ଼ିର ନେତା କଂଗ୍ରେସ ପ୍ରାର୍ଥୀ ହୋଇଥିବା ବିଭୁ ଭୂଷଣ ରାଉତଙ୍କୁ ସହଜରେ ଗ୍ରହଣ କରିପାରି ନାହାନ୍ତି । କଂଗ୍ରେସ କର୍ମୀମାନେ ତାଙ୍କ ପ୍ରାର୍ଥୀତ୍ୱ ଓ ଶରତ ରାଉତଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ନିଜର ଅସନ୍ତୋଷ ବ୍ୟକ୍ତ କରି ଦଳକୁ ବାଏ ବାଏ କରିଛନ୍ତି । ଚଳିତ ନିର୍ବାଚନରେ ସୁକିନ୍ଦା କଂଗ୍ରେସ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା କୃପାସିନ୍ଧୁ ସାମନ୍ତ ରାୟ ଇତି ମଧ୍ୟରେଦଳ ପରିବର୍ତନ କରି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ ସୁକିନ୍ଦା କଂଗ୍ରେସର ଉପସଭାପତି ଥିବା ଚଞ୍ଚଳା ମହାପାତ୍ର, ଜିଲା କଂଗ୍ରେସର ସାମାଜିକ ଗଣମାଧ୍ୟମର ମୁଖ୍ୟ ସାମନ୍ତ ନିରଞ୍ଜନ ଜେନାମଣି, ଅଜିତ ନାୟକ, ଚର୍ତୁଭୁଜ ବେହେରା, ସୁକିନ୍ଦା କଂଗ୍ରେସ କୋଷାଧ୍ୟକ୍ଷ ଲିଟୁ ଜେନା ସହିତ ଅନେକ ଚିତିରୀ, ଜଖପୁରା, ସଂସାଇଲୋ, କୁମ୍ଭିରଗଡ଼ିଆ ଆଦି ପଞ୍ଚାୟତରୁ ସର୍ବାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଯାହାଫଳରେ ଦିନକୁ ଦିନ କଂଗ୍ରେସ ଦଳ ଦୁର୍ବଳ ହେବାରେ ଲାଗିଛି । ସୁକିନ୍ଦା କଂଗ୍ରେସ ଭାଡ଼ି ଖାଲି ହେଉଥିବା ବେଳେ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି । ବର୍ତ୍ତମାନ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୀତି ପାଣି ପାଗକୁ ଦେଖିଲେ ବିଜେପି ଆଉ ବିଜେଡି ମଧ୍ୟରେ ବଳ କଷାକଷି ହେଉଥିବା ବେଳେ କଂଗ୍ରେସ ଶିବିର ଖାଲି ହେବାରେ ଲାଗିଛି । ବିଗତ ଦିନରେ ସୁକିନ୍ଦା କଂଗ୍ରେସର ମଙ୍ଗ ଧରିଥିବା ପ୍ରାକ୍ତନ ବିଧାୟକ ଶରତ ରାଉତଙ୍କୁ କର୍ମୀ ମାନେ ଖୋଲା ଚାଲେଞ୍ଜ କରି ଦଳ ଛାଡିବାରେ ଲାଗିଥିବାରୁ ଏହାର ସିଧା ପ୍ରଭାବ ନିର୍ବାଚନ ଉପରେ ହିଁ ପଡ଼ିିବାକୁ ଯାଉଛି ।