ଲୋକାର୍ପିତ ହେଲା ‘ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ’
ଭୁବନେଶ୍ୱର: ରାଜ୍ୟରେ ମହିଳା, ଛାତ୍ର ଓ ଶାରୀରିକ ଭିନ୍ନକ୍ଷମଙ୍କୁ ସାମାଜିକ ଓ ଆର୍ଥିକସ୍ତରରେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟବ୍ୟାପୀ କାର୍ଯ୍ୟକରିବ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବ୍ରେନସ୍ ଆଇକନିକ୍ ଚାରିଟେବୁଲ୍ ଟ୍ରଷ୍ଟ । ଏ ନେଇ ଆଜି ଗୀତଗୋବିନ୍ଦ ସଦନ ଠାରେ ଆନୁଷ୍ଠାନିକ ଭାବେ ଟ୍ରଷ୍ଟର ଲୋଗୋ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ରୋଡମ୍ୟାପ୍ ଲୋକାର୍ପିତ ହୋଇଯାଇଛି ।
ଟ୍ରଷ୍ଟର ସଭାପତି ଇଂ ଅଶୋକ କୁମାର ଭୂୟାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡା ଅଶୋକ ମହାପାତ୍ର ଯୋଗଦେଇ କହିଥିଲେ ଯେ, ରାଜ୍ୟରେ ଆଦିବାସୀ ଅଞ୍ଚଳରେ ରହୁଥିବା ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଟ୍ରଷ୍ଟ ଗ୍ରହଣ କରିଥିବା ମହତ୍ୱାକାଂକ୍ଷା ଏକ ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ ପ୍ରୟାସ । ଏଥିପାଇଁ ସମାଜର ସବୁ ବର୍ଗର ଲୋକ ଆଗେଇ ଆସିଲେ ଏହା ସୁଦୂରପ୍ରସାରୀ ଓ ସଫଳ ହେବ । ଆହୁରି ମଧ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଥମେ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ଦକ୍ଷତାକୁ ଚିହ୍ନଟ କରି ଏହାର ବିକାଶ କରିପାରିଲେ ନିଃସନେ୍ଦହରେ ମହିଳାମାନେ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହୋଇପାରିବେ ବୋଲି ପଦ୍ମଶ୍ରୀ ମହାପାତ୍ର କହିଥିଲେ । ଉସôବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଫକିରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇ କହିଥିଲେ ଯେ ସମାଜରେ ଶିକ୍ଷା ଓ ଦକ୍ଷତାକୁ ମିଶାଇକରି ଯଦି ମାନବସମ୍ବଳର ସଠିକ୍ ଭାବେ ସଦୁପଯୋଗ କରିପାରିବା ତେବେ ସକ୍ଷମ ଓ ଭିନ୍ନକ୍ଷମ ଭିତରେ ଦୂରତା ରହିବ ନାହିଁ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡା. ବୌରାଗୀ ଚରଣ ପଟ୍ଟନାୟକ ଯୋଗଦେଇ ରାଜ୍ୟର କୋରାପୁଟ, କନ୍ଧମାଳ, ବୌଦ୍ଧ, କେଉଁଝର ଏବଂ ଭଦ୍ରକ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ୍ ଭାବେ ଟ୍ରଷ୍ଟ ତାର କାମ ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି । ଉସôବରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବରିଷ୍ଟ ପ୍ରଶାସକ ଡ ଗଣେଶ୍ୱର ଜେନା ଯୋଗଦେଇ ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ କହିଥିଲେ । ଉସôବରେ ମୁଖ୍ୟ ଉପଦେଷ୍ଟା ଡ. ଗିରୀଶ ରଞ୍ଜନ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ବିଜୟ କୁମାର ଜେନା । କାର୍ଯ୍ୟକ୍ରମରେ ସମାଜସେବାରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା ।