ଦାନଗଦୀ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ

 ଦାନଗଦୀ : ବୁଧବାର ଦାନଗଦୀ ତହସିଲ ପକ୍ଷରୁ ତ୍ରିଜଙ୍ଗା ପଂଚାୟତର ନିୟୁ ସିଆରିଆ ଜଙ୍ଗଲ ପାଖରେ ବେଆଇନ ଭାବେ ନିର୍ମାଣ ହୋଇଥିବା କିଛି ଘରକୁ ଉଚ୍ଛେଦ କରାଯାଇଛି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ତହସିଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କଳିଙ୍ଗନଗର ଶିଳ୍ପାଂଚଳ ପାଖରେ ହୋଇଥିବାରୁ ଦାନଗଦିୀ ତହସିଲ ଅଧୀନରେ ଥିବା ତ୍ରିଜଙ୍ଗା ଓ ଧୂଳିଗଡ଼ ଓ ଆଖପାଖରେ ଥିବା ପଂଚାୟତ ଗୁଡିକରେ ସରକାରୀ ଜମି ଜବରଦଖଲ ହୁ ହୁ ହୋଇ ବଢ଼ି ଚାଲିଛି । ଏପରିକି ସରକାରୀ ଅନାବାଦୀ ଓ ଜଙ୍ଗଲ ଜମିକୁ ବାହାର ଲୋକଙ୍କୁ ଲକ୍ଷାଧିକ ଟଙ୍କାରେ ଜମି ମାଫିଆ ବିକ୍ରି କରିଚାଲିଛନ୍ତି । ସରକାରୀ ଜାଗାରେ ଘର ନିର୍ମାଣ କରି ମାସକୁ ଲକ୍ଷ ଲକ୍ଷ ଟଙ୍କା ଘର ଭଡା ଦେଇ ରୋଜଗାର କରୁଛନ୍ତି ବାହାର ଲୋକ । ତେବେ ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ଆଜି ପୂର୍ବାହ୍ନ ୧୧ଟାରେରେ ଦୁଇ ପ୍ଲାଟୁନ ପୁଲିସ ଓ ଯାଜପୁର ରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ମିଶ୍ରଙ୍କ ସହ ତହସିଲଦାର ରଞ୍ଜିତ କୁମାର ମଲ୍ଲିକ ପହଁଚି ବେଆଇନ ନିର୍ମିତ ଘରକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ  ଛଅ ଗୋଟି ନୂଆ ଘର ଭଙ୍ଗା ଯାଇଛି । ଆଗକୁ ବେଆଇନ ଜବର ଦଖଲ କାରୀଙ୍କୁ ନୋଟିସ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର କହିଛନ୍ତି । ସବୁଠାରୁ ଚର୍ଚ୍ଚାର ବିଷୟ ଏତେ ସବୁ ଜବର ଦଖଲ ଦୈନିକ ହେଉଥିବା ବେଳେ ଦାନଗଦୀ ଆରଆଇ ମ୍ୟାଡ଼ାମ କିପରି ଜାଣି ପାରିଲେ ନାହିଁ ତାହା ବିରାଟବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଦାନଗଦୀ ତହସିଲ ଅଧୀନରେ ଥିବା ଆରଆଇ ମାନଙ୍କ ମନମୁଖୀ ପାଇଁ ଦୀର୍ଘ ୨୫ ବର୍ଷ ହେଲା ଏପରି ଜବର ଦଖଲ ବଢ଼ି ବଢ଼ି ସରକାରୀ ଜମି ସ୍ୱାହା ବେଳକୁ  ଲୋକ ଦେଖାଣିଆ ଉଛେଦ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି ।