ପ୍ରଧାନଶିକ୍ଷକଙ୍କ ଶିକ୍ଷା ସମୀକ୍ଷା ବୈଠକ
ବଡମ୍ବା : ପ୍ରତ୍ୟେକ ମାସ ଭଳି ଚଳିତ ଫେବୃଆରୀ ମାସରେ ବ୍ଲକର ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକମାନଙ୍କର ଶିକ୍ଷା ସମୀକ୍ଷା ଓ ଆଲୋଚନା ବୈଠକ ଶଙ୍ଖାମେରୀ ସ୍ଥିତ ବୁଦ୍ଧି ସାହୁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତଗଜ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ସହ ଶିକ୍ଷା ଅଧିକାରୀ ନିର୍ମଳା ବେହେରା, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀନିବାସ ପ୍ରଧାନ, ସହ ଶିକ୍ଷା ଅଧିକାରୀ ବିବେକାନନ୍ଦ ସାହୁ, ଆରପି ଅଶୋକ କୁମାର ଧଳ ପ୍ରମୁଖ ଯୋଗ ଦେଇ ଆଲୋଚନାର ବିଭିନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ଶୈଳବାଳା ସାମଲ, କାମରାଜ ସାହୁ, ବିଜୟ କୁମାର ଛତ୍ର, ମାନସୀ ମଞ୍ଜରୀ ସେଠି, ମନମୋହନ ମହାରଣା, ସନ୍ତୋଷ କୁମାର ପରିଡା ବିଭିନ୍ନ ସମସ୍ୟା ଗୁଡିକର ସମସ୍ୟାର ସମାଧାନ ପାଇଁ ତଥା ଆଗାମୀ ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ, ଶୃଙ୍ଖଳିତ, ମୁକ୍ତ ଓ ଅବାଧ ଭାବେ ଆରମ୍ଭ ଓ ସମାପନ ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପରବର୍ତ୍ତୀ ମାସିକ ବୈଠକ ଗୋପୀନାଥପୁର ସ୍ଥିତ କୃପାସିନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ଏ ଅବସରରେ ସେବା ନିବୃତ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଶତପଥୀ, ପୁଷ୍ପଲତା ରାଉତ, ସୁରେନ୍ଦ୍ର ରଥ, ରମେଶ ଚନ୍ଦ୍ର ରଥ, ପ୍ରମୋଦ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଶିକ୍ଷକ କଳିଙ୍ଗ କେଶରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।