ମନରେଗା ନିୟମର ଖୋଲା ଉଲ୍ଲଘନ: ଶ୍ରମିକ ବଦଳରେ ମେସିନ କରୁଛି କାମ 

ରଗଡ଼ି : ମନରେଗାରେ ମେସିନ ଲାଗିପାରିବନି । ଶ୍ରମିକ ହିଁ ମନରେଗା କାର୍ଯ୍ୟ କରିବେ । ଏଭଳି ନିୟମ ରହିଥିବା କଥାକୁ ସମସ୍ତେ ସ୍ୱିକାର କରୁଛନ୍ତି, ହେଲେ ଶ୍ରମିକ ବଦଳରେ ମେସିନ କାର୍ଯ୍ୟ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗଭର ହେଉ ନାହାନ୍ତି । ପ୍ରଶ୍ନ କଲେ କହୁଛନ୍ତି ଫଟୋ ଭିତ୍ତିକ ଅଭିଯୋଗ ହେଲେ ଯାଇ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ । ଅତଏବ କାର୍ଯ୍ୟ ତଦାରଖ କରିବାକୁ ନିୟୋଜିତ ଅଧିକାରୀ ନିରବ ବସିବେ, ଅଭିଯୋଗ ଆସିଲେ ଯାଇ ଯାହା କିଛି କରାଯିବ । ଏଭଳି ମନ୍ତବ୍ୟ ଅନ୍ୟକେହି ନୁହେଁ କୋରେଇ ବିଡ଼ିଓ ଗଣମାଧ୍ୟମକୁ ଦେବାକୁ ପଛାଉ ନାହାନ୍ତି । କୋରେଇ ବ୍ଲକର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ମନରେଗା କାର୍ଯ୍ୟ ଶ୍ରମିକ ବଦଳରେ ମେସିନରେ କରାଯାଉଛି । ଗଣମାଧ୍ୟମରେ ଫଟୋ ସହ ଖବର ପ୍ରକାଶ ପାଉଛି, କିନ୍ତୁ ଖବରକୁ ଗୁରୁତ୍ୱ ଦେବା ବଦଳରେ ବିଡ଼ଓ ମହାଶୟ ଅଭିଯୋଗକୁ ଅପେକ୍ଷା କରନ୍ତି ବୋଲି ତାଙ୍କ ମନ୍ତବ୍ୟ କହୁଛି । ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇଛି । ବର୍ଷକୁ ଅନ୍ତତଃ ପକ୍ଷେ ୧୦୦ଦିନର କାର୍ଯ୍ୟ ଯୋଗାଇ ଦେବା ପାଇଁ ସରକାର ନିୟମ କରିଛନ୍ତି । ଏଥିପାଇଁ ସେମାନଙ୍କୁ ଜବକାର୍ଡ ପ୍ରଦାନ କରାଯାଇଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନରେଗା କାମରେ ଯେଭଳି ଅନିୟମିତତା ନ ହୁଏ ସେଥିପାଇଁ କଡ଼ା ଚେତାବନୀ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ କୋରେଇ ବ୍ଲକରେ ଖୋଲା ଖୋଲି ଅବମାନନା କରାଯାଉଛି । ବ୍ଲକ ଅନ୍ତର୍ଗତ କାଚରାସାହି ପଞ୍ଚାୟତ ରାଉତପଡା ଗ୍ରାମରେ ୨୦୨୪-୨୫ଆର୍ଥôକ ବର୍ଷରେ ମନରେଗା ଯୋଜନାରେ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପ୍ରକଳ୍ପ କାମ ଚାଲିଛି । ଗୋଟିଏ ଭଡ଼ାଗଡିଆ (ପଣ୍ଡା)ପୋଖରୀର ପୁନରୁଦ୍ଧାର ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ଥିବା ବେଳେ ଅଣକୁଶଳୀ ଶ୍ରମିକଙ୍କ ଦ୍ୱାରା ୪ଲକ୍ଷ ୬୧ହଜାର ଓ ସାମଗ୍ରୀ ବାବଦରେ ଅବଶିଷ୍ଟ ୩୯ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଫଳକ କହୁଛି । କାମ ତା୨ା୪ା୨୫ରୁ ଆରମ୍ଭ ହୋଇ ତା୩୧ା୧୨ା୨୫ସୁଦ୍ଧା ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ରାଉତପଡା ଗ୍ରାମ ଠାରୁ ବ୍ରାହ୍ମଣୀଦେବୀ ପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଖର୍ଚ୍ଚ ଅଟକଳ ଥିବା ବେଳେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ୪ଲକ୍ଷ ୧୬ହଜାର ଓ ସାମଗ୍ରୀ ପାଇଁ ଅବଶିଷ୍ଟ ୮୪ହଜାର ଖର୍ଚ୍ଚ ହେବ ବୋଲି ସୂଚନା ଫଳକରେ ସ୍ପଷ୍ଟ ଉଲ୍ଲେଖ ରହିଛି । କାର୍ଯ୍ୟ ତା୧୨ା୪ା୨୫ରେ ଆରମ୍ଭ ହୋଇ ତା୩୧ା୧୨ା୨୫ରେ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି । ହେଲେ ଖୋଲାଖୋଲି ଭାବେ ଦୁଇଟି ଯାକ କାର୍ଯ୍ୟରେ ମେସିନ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ପୋଖରୀରୁ ମାଟି ଉଠି ହୁଡ଼ାରେ ପଡ଼ିବାର ନିୟମ ଥିବା ବେଳେ ଏହା ରାସ୍ତା କାମରେ ବ୍ୟବହୃତ ହେଉଛି । ନାମକୁ ମାତ୍ର ରାସ୍ତା କଡ଼ରୁ କିଛି ମାଟି ଉଠି ରାସ୍ତାରେ ପଡୁଛି । ଅନିୟମିତତାକୁ ଲୁଚାଇବା ପାଇଁ କିଛି ଲୋକଙ୍କୁ ଛିଡା କରି ଫଟୋ ଉଠାଇ ସେମାନଙ୍କ ଜବକାର୍ଡ ବ୍ୟବହାର କରି ଟଙ୍କା ଉଠାଣର ମସୁଧା କରାଯାଇଛି । ଦୁଇଟିଯାକ କାର୍ଯ୍ୟର ସମ୍ପୂର୍ଣ୍ଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ କିନ୍ତୁ ଦୃଷ୍ଟି ନପଡ଼ିବା ବୁଦ୍ଧିଜୀବୀ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି ।