ଅବହେଳିତ ଶୈଶବ : ମିଳୁନି ଶିକ୍ଷାସ୍ୱାସ୍ଥ୍ୟ ପରି ମୌଳିକ ସୁବିଧା
ରସୁଲପୁର : ଶିଶୁ ଦେଶର ଭବିଷ୍ୟତ । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସୁରକ୍ଷା ଯୋଗାଇ ଦେଲେ ସୁଦୃଢ଼ ସମାଜ ଗଠନ କରିହେବ । ସେଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା କରିଛନ୍ତି । ଅବହେଳିତ ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁମଙ୍ଗଳ କମିଟି ଓ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ବିଭାଗ ପରି ଭଳି ବହୁ ସରକାରୀ ବିଭାଗ କାମ ପାଇଁ ପ୍ରତିଶ୍ରୁତିବଦ୍ଧ । ସେହିପରି ଶିଶୁ ଅଧିକାର ଓ ସୁରକ୍ଷା ନିମନ୍ତେ ବହୁ ବେସରକାରୀ ସଂସ୍ଥା କାର୍ଯ୍ୟକରୁଛି । ମାତ୍ର ବହୁସ୍ଥାନରେ ଦେଖିବାକୁ ମିଳୁଛି ଯେ ଶହଶହ ଅବହେଳିତ ଶିଶୁ ଖୋଲା ଆକାଶ ତଳେ ଖରା ଶୀତ ଅବହେଳିତ ଭାବରେ ଜୀବନ କାଟୁଛନ୍ତି । ଏଭଳି କିଛି ଘଟଣାକୁ ଗତବର୍ଷ ଗଣମାଧ୍ୟମରେ ଖବର ପରିବେଷଣ ହେବା ପରେ ଶିଶୁମାନଙ୍କ ମୌଳିକ ଅଧିକାର ସୁନିଶ୍ଚିତ କରିବାପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ନେତୃତ୍ୱରେ ସ୍ଥାନୀୟ ପୁଲିସ ଓ ପଂଚାୟତ ଅଧିକାରୀ ଓ ଜନପ୍ରତିନିଧି ମିଳିତ ପ୍ରୟାସ ଆରମ୍ଭ ହୋଇଥିଲା । କିନ୍ତୁ ପରମୁହୂର୍ତରେ ଏହି ଘଟଣାର ପୁନରାବୃତି ହେଉଥିବାର ଦେଖିବାକୁ ମିଳୁଛି । ଶିଶୁ ସୁରକ୍ଷା ୟୁନିଟର ନିଷ୍କ୍ରିୟତା ଆନ୍ତରିକତା ଅଭାବ ଯୋଗୁଁ ଏଭଳି ଶିଶୁଙ୍କ ଚିହ୍ନଟ, ସର୍ବେକ୍ଷଣ ଓ ଥଇଥାନରେ ବାଧକ ହେଉଛି । ସୂଚନା ଅନୁଯାଇ ରସୁଲପୁର ଓ ଯାଜପୁର ବ୍ଳକର ବିଭିନ୍ନ ସ୍ଥାନରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୠତୁକାଳୀନ ଶ୍ରମିକ ସେମାନଙ୍କ କୁନିକୁନି ପିଲାମାନଙ୍କୁ ଧରି ଶ୍ରମ ଉଦେ୍ଦଶ୍ୟରେ ରହିଆସୁଛନ୍ତି । ସେମାନଙ୍କର ପିତାମାତା କାମକୁ ଗଲାପରେ କୁନିକୁନି ଶିଶୁମାନେ କୁଡିଆରେ ରହୁଛନ୍ତି ନହେଲେ ହାଟବଜାରରେ ବୁଲୁଛନ୍ତି । ଏହି ଶିଶୁମାନେ ପାଂଚ ମାସରୁ ଅଧିକ ସମୟ ଧରି ଶୀତକାକରରେ ପଡି ରହୁଛନ୍ତି । ମାତ୍ର ଅସ୍ୱାସ୍ଥ୍ୟକର ଓ ଭୟଙ୍କର ସରୀସୃପ ଭରା ପରିବେଶରେ ସେମାନଙ୍କ ଜୀବନ କାଟୁଛନ୍ତି । ବିଶେଷକରି ମୟୂରଭଞ୍ଜ ଜିଲ୍ଲା ଓଡିଶାର ଶିଶୁଶ୍ରମିକ ମୁକ୍ତ ଜିଲ୍ଲା ଘୋଷିତ ହୋଇଥିଲା ବେଳେ ଦୁଃଖର ବିଷୟ ଏହି ଜିଲ୍ଲାର ହଜାର ହଜାର କୋମଳମତି ଶିଶୁ ଯାଜପୁର ଜିଲ୍ଲାରେ ଶିଶୁଶ୍ରମିକ ଓ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳୁଛି । ଏଭଳି ଚିତ୍ର ରସୁଲପୁରର ବ୍ଳକ ବ୍ରହ୍ମବରଦା ପଞ୍ଚାୟତର ପ୍ରତି ସପ୍ତାହିକ ହାଟବାରିରେ କିଛି ମହିଳା ଶିଶୁମାନଙ୍କୁ ଧରି ଭିକ୍ଷାବୃତି କରୁଥିବାର ଦେଖିବାକୁ ମିଳୁଛି । ଅନୁରୂପ ଭାବରେ ଯାଜପୁର ବ୍ଳକର ରୁଦ୍ରପୁର ପଞ୍ଚାୟତ, ଝାଲପଡା ପଞ୍ଚାୟତ ଓ ରସୁଲପୁର ବ୍ଲକର ବିଭିନ୍ନ ଇଟା ଭାଟିରେ ଏଭଳି ଅନେକ ଶିଶୁ ଶୈଶବ ଅବହେଳାରେ ଥିବାର ଦେଖିବାକୁ ମିଳିଛି । ଏହି କ୍ଷେତରେ ଛୋଟଛୋଟ କୁଡିଆରେ ରହୁଥିବା ଶିଶୁମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶ ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଶିଶୁମାନେ ଅପପୁଷ୍ଟୀ ରୋଗରେ ପୀଡିତ ହେଉଛନ୍ତି ଯାହାଫଳରେ ସେମାନେ ଶୈଶବ ଅବସ୍ଥା ଶିକ୍ଷା ଅଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ ସେମାନଙ୍କ ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ । ତେଣୁ ଶିଶୁମାନଙ୍କ ଅଧିକାର ସୁରକ୍ଷା ଦୃଷ୍ଟିରୁ ଶ୍ରମିକମାନଙ୍କ ରାତ୍ରୀକାଳୀନ ରହଣୀକେନ୍ଦ୍ର ସହ ଶିଶୁ ମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି । ସୂଚନାଥାଉକି ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିଦେ୍ଦର୍ଶ ଅନୁସାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରାସ୍ତାକଡରେ ଜୀବନଯାପନ କରୁଥିବା ଶିଶୁଙ୍କ ସର୍ବେକ୍ଷଣ ଓ ଥଇଥାନ କରିବେ । ମାତ୍ର ଶହଶହ ଶିଶୁ ଏପରି ଅବହେଳିତ ଅବସ୍ଥା ଓ ରାସ୍ତାକଡରେ ଜୀବନଯାପନ କରୁଥିଲେ ମଧ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କ ନୀରବତା ଯୋଗୁଁ ଶତାଧିକ ଶିଶୁଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାର ଅଭିଯୋଗ ହେଉଛି ।