ଅବ୍ୟବସ୍ଥା ଭିତରେ ପ୍ରାଥମିକ ବିଦ୍ୟାଳୟ
କାକଟପୁର: ବିଭିନ୍ନ ବିଦ୍ୟାଳୟର ବହୁମୁଖୀ ଉନ୍ନୀତ ସାଧନା ପାଇଁ ରାଜ୍ୟ ସରକାର ଅନେକ ବିକଳ୍ପ ବ୍ୟବସ୍ଥା ଆଣିଛନ୍ତି । ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ କେଉଟଜଙ୍ଗା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ରହିଛି । ଯାହାକୁ ନେଇ ଉକ୍ତ ଗ୍ରାମର ତ୍ରିନାଥ ଭୋଳ, ବିପିନ ମୁରୁଣୀ, ପ୍ରଦୀପ୍ତ ବିଶ୍ୱାଳଙ୍କ ସହିତ ଅନେକ ଗ୍ରାମବାସୀ ଆଣିଛନ୍ତି ଅଭିଯୋଗ । ଅଭିଯୋଗ ମୁତାବକ ୧୫ ବର୍ଷର ଏହି ପ୍ରାଥମିକ ବିଦ୍ୟାଳୟ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ କୌଣସି ରଙ୍ଗ କାର୍ଯ୍ୟ ହୋଇନାହିଁ । ବିଦ୍ୟାଳୟରେ ରୋଷେଇ ଗୃହକୁ ନେଇ ସମ୍ପୂର୍ଣ୍ଣ ୪ଟି କକ୍ଷ ରହିଛି । ପ୍ରତ୍ୟେକ କୋଠରୀରେ ଅବ୍ୟବସ୍ଥା । କେଉଁଠି ତଳ ଚଟାଣ ଫାଟି ମାଟି ଗଦା ହୋଇଛି ତ ଆଉ କେଉଁଠି ଛାତ ଫାଟି ସିମେଣ୍ଟ ଢଳେଇ ଖସିଲାଣି । ଅତୀତରେ ଛାତ ତାଜାରୁ ସିମେଣ୍ଟ ଢଳେଇ ଖସି କିଛି ଛାତ୍ର ଛାତ୍ରୀ ଆହତ ମଧ୍ୟ ହୋଇଛନ୍ତି ଯାହାକୁ ନେଇ ଗ୍ରାମବାସୀ ମତାମତ ଦେଇଛନ୍ତି । ପରିବେଶ କହିଲେ ବିଦ୍ୟାଳୟ ଚତୁଃପାର୍ଶ୍ୱ ରେ ନାଳ ନର୍ଦ୍ଧମା ଜମିଛି ଯେଉଁଠି ମଶା ମାଛିଙ୍କ ବଂଶ ବୃଦ୍ଧି ହେଉଛି । ଏହି ପରିବେଶରେ କୋମଳମତି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ବିଦ୍ୟାଳୟ ନିକଟରେ ବିଦ୍ୟାଳୟ ତରଫରୁ ୨ଟି ଶୌଚାଳୟ କରାଯାଇଛି । ମାତ୍ର ପାଣି ସଂଯୋଗ ନଥିବାରୁ ଏହି ଶୌଚାଳୟ କାର୍ଯ୍ୟକ୍ଷମ ହେଇପାରିନାହିଁ । ବର୍ଷା ହେଉ କି ଖରା ଛୋଟ ଛୋଟ ପିଲାମାନଙ୍କର ଶୌଚାଳୟ ଆବଶ୍ୟକ ହେଲେ ସେମାନେ ନିକଟ ପଡିଆକୁ ଯାଇଥାନ୍ତି । ଆଗକୁ ଗ୍ରୀଷ୍ମପ୍ରବାହ ଆସୁଛି, ଏବେଠୁ ଉପକୂଳ ଜଳବାୟୁର ଉଷ୍ମତା ବୃଦ୍ଧିପାଇବାରେ ଲାଗିଛି, ମାତ୍ର ଆଜିପର୍ଯ୍ୟନ୍ତ ଏହି ବିଦ୍ୟାଳୟକୁ କୌଣସି ସରକାରୀ ପଞ୍ଜିକରଣ ବିଦୁ୍ୟତ ସଂଯୋଗ ହୋଇନାହିଁ । ଯାହାକିଫଳରେ ପଙ୍ଖା ଲାଗିଛି ମାତ୍ର ବିଦୁ୍ୟତ ନଥିବାରୁ ଏହା ମଧ୍ୟ ଅଚଳଅବସ୍ଥା । ମଧ୍ୟାହ୍ନ ଭୋଜନରେ ମଧ୍ୟ ଅନିୟମିତତା ଏହି ବିଦ୍ୟାଳୟ ପରିସରରେ ସାମ୍ନାକୁ ଆସିଥିବା ବେଳେ ଏହି ଘଟଣା ସମ୍ପର୍କରେ ଆମେ ଗ୍ରାମବାସୀଙ୍କ ଅଭିଯୋଗ ବିଦ୍ୟାଳୟ ପ୍ରାଧନଶିକ୍ଷକ ଅଶୋକ କୁମାର ବାରିକଙ୍କୁ ପଚାରିବାରୁ ସେ ଓଲଟା ଅଭିଯୋଗ ଗ୍ରାମବାସୀଙ୍କ ବିରୁଦ୍ଧରେ ଆଣିଛନ୍ତି । ତାଙ୍କ କହିବା ମୁତାବକ ଆମ ବିଦ୍ୟାଳୟସୂଚାରୁ ରୂପେ ଚାଲିଛି, ମାତ୍ର ଏଠି ଗ୍ରାମବାସୀଙ୍କ ସହଯୋଗ ଅଭାବରୁ ବିଦ୍ୟାଳୟ ଉନ୍ନତିରେ ବାଧା ଆସୁଛି । ସେଥିପାଇଁ ଆଜି ପ୍ରାୟତଃ ୩୦ ଜଣ ଗ୍ରାମବାସୀ ବିଦ୍ୟାଳୟକୁ ପିଲାମାନଙ୍କୁ ନଛାଡି ପ୍ରଧାନ ଶିକ୍ଷକ ଅଶୋକ ବାରିକଙ୍କୁ ଅଟକ ରଖି ବିଦ୍ୟାଳୟ ବିକାଶ ଉପରେ ଆଲୋଚନା କରିଥିଲେ । ଘଟଣା ସ୍ଥଳରେ ଶିଶୁଅ ପଞ୍ଚାୟତ କ୍ଲଷ୍ଟର ସିଆରସିସି ଶିବ ଚରଣ ଖଟୋଇ ପହଞ୍ଚô ଉଭୟ ଗ୍ରାମବାସୀ ଓ ପ୍ରଧାନଶିକ୍ଷକଙ୍କ ସହିତ ଆଲୋଚନା କରିବା ସହିତ ମତାମତ ଦେଇଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇ ତୁରନ୍ତ ବିଦ୍ୟାଳୟ ବିକାଶ ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଏବେ ଦେଖିବାକୁ ବାକି ରହିଛି କେବେ ପ୍ରଶାସନର ଏହି ସୁନାମି ପ୍ରପୀଡ଼ିତ ପ୍ରାଥମିକ ବିଦ୍ୟାଳୟ ଭିତିଭୂମି ବିକାଶ ପାଇଁ କାର୍ଯ୍ୟପନ୍ଥା ନିଆଯାଉଛି ।