ସ୍ୱାସ୍ଥ୍ୟ କେନ୍ଦ୍ରରେ ପାନୀୟ ଜଳ ସମସ୍ୟା
ରାଜକନିକା : ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲାଗିଥିବା ପାନୀୟଜଳ ମେସିନରେ ପାନୀୟଜଳର ସୁଦ୍ଧତାକୁ ନେଇ ଏବେ ରୋଗୀଙ୍କ ମନରେ ଉଠିଛି ବଡ଼ ପ୍ରଶ୍ନ । ବାହାରକୁ ଚିକ୍ ମିକ୍ କରୁଥିବା ମେସିନ ଅଚଳ ହୋଇ ପଡିଛି । ୫-ଟି ବ୍ୟବସ୍ଥାରେ ଲଖ୍ୟାଧିକ ଟଙ୍କା ବେୟ ଅଟକଳରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକ୍ ଚିକ୍ କରାଯାଇଥିବା ବେଳେ, ପାନୀୟ ଜଳ ପାଇଁ ଲଗାଯାଇଥିବା ଫିଲଟର ମେସିନ ଅଚଳ, ଯାହା ଫଳରେ ସିଧା ସଳଖ ଟାଙ୍କି ସହିତ ସଂଯୋଗ କରାଯାଇ ପାଣି ଦିଆଯାଉଛି ତାହାର ସୁଦ୍ଧତା କେତେ ରହିଛି ତାହାର ଉତ୍ତର କାହା ପାଖରେ ନାହିଁ । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏନେଇ ନିରୁପାୟ ବୋଲି ଉତ୍ତର ରଖିଛନ୍ତି । ରାଜ୍ୟ ସରକାରଙ୍କ କାୟାକଳ୍ପ ଟିମ୍ ମଝିରେ ମଝିରେ ଆସି ସ୍ୱାସ୍ଥ୍ୟକେନ୍ଦ୍ର ପରିଭ୍ରମଣ କରୁଥିଲେ ବି ସେମାନଙ୍କ ନଜର ଆଢୁଆଳରେ ରହିଯାଉଛି ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ମୁଖ୍ୟ ସମସ୍ୟା । ସେପଟେ ରୋଗୀମାନେ ପାଣି ଟୋପେ ପିଇବାକୁ ନପାଇ ବାହାରୁ ଚଢା ଦରରେ ବୋଟଲ ପାଣି ପିଇବାକୁ ବାଧ୍ୟ ହେଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଠୁ ବଳି ଯାଇଛି ପାନୀୟ ଜଳର ସମସ୍ୟା ।ଏନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଶୀତଳ ପାନୀୟ ଜଳ ମିଳିବା ଦୂରରେ ଥାଉ ସୁଦ୍ଧ ପାଣିଟୋପେ ପାଇ ପାରୁନାହାନ୍ତି ରୋଗୀ । ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।