ଅଭିମାନ ଅଭିଜ୍ଞତା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଅଭିମାନ ଓ ଅଭିଜ୍ଞତା ବାବଦରେ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଏମିତି ବି କିଛି ଲୋକ ରହିଛନ୍ତି ଯେଉଁମାନେ ନିଜକୁ ସବୁବେଳେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ ବୋଲି ଭାବନ୍ତି । ନିଜେ ଯାହା କରନ୍ତି ତାହା ହିଁ ଠିକ୍ ବୋଲି ଚିନ୍ତା କରନ୍ତି । ଅନ୍ୟମାନଙ୍କ ଠାରୁ ନିଜେ ଉଚ୍ଚରେ ରହିଥିବା ଦର୍ଶାନ୍ତି । ସବୁକ୍ଷେତ୍ରରେ ଏମାନେ ଆଗୁଆ ଓ ଭିନ୍ନ ଦେଖେଇ ହୁଅନ୍ତି ।
ପ୍ରତ୍ୟେକ ମନୁଷ୍ୟର ଶକ୍ତି, ଜ୍ଞାନ, ଦକ୍ଷତା ଆଦି ଏକ ସୀମାରେ ଆବଦ୍ଧ । ଏହି ସୀମାକୁ ଅତିକ୍ରମ କରିବା ମନୁଷ୍ୟ ପକ୍ଷରେ ଅସମ୍ଭବ । ଜଣେ ଛାତ୍ର ଗୋଟିଏ ବିଷୟରେ ପାରଙ୍ଗମ ହୋଇପାରେ । କିନ୍ତୁ କୋଡିଏ କି ତିରିଶିଟି ବିଷୟରେ ପାରଙ୍ଗମ ହେବା ସମ୍ଭବ ନୁହେଁ । ଅନ୍ୟପକ୍ଷରେ ନିଜକୁ ସର୍ବଜ୍ଞ ବୋଲି ଭାବୁଥିବା ବ୍ୟକ୍ତିମାନେ ଅନ୍ୟ କାହାରିକୁ ଗ୍ରହଣ କରିବାର ଏକ ମାନସିକତା ରଖୁନଥିବାରୁ ସେମାନଙ୍କ ଜୀବନରେ ଅଭିଜ୍ଞତାଜନିତ ଜ୍ଞାନ କିଛି ନଥାଏ । ପାଠପଢାଜନିତ ଜ୍ଞାନ ସହିତ ନିଜର ଅଭିଜ୍ଞତା ବା ଇନ୍ଦ୍ରୀୟ ଅନୁଭୂତିର ଜ୍ଞାନ ମଧ୍ୟ ନିହାତି ଆବଶ୍ୟକ । ଅନୁଭୂତିଜନିତ ଜ୍ଞାନ ନଥିଲେ କାକତାଳିକ ଘଟଣା ଗୁଡିକ ବ୍ୟକ୍ତିକୁ ଅସୁବିଧାରେ ପକାଇ ଦେଇପାରେ । ତତ୍ତ୍ୱ ଏବଂ ଉପପାଦ୍ୟ ମଧ୍ୟରେ ରହିଥିବା ପାର୍ଥକ୍ୟ ହେଉଛି ଅଭିଜ୍ଞତା । କୌଣସି ଏକ ମତ ପରୀକ୍ଷଣ, ନୀରିକ୍ଷଣ, ସାର୍ବଜନୀନ ପ୍ରୟୋଗ ଆଦି ପର୍ଯ୍ୟାୟ ଦେଇ ବାହାରୁଥିବା ସର୍ବଶେଷ ସିଦ୍ଧାନ୍ତ ହିଁ ତତ୍ତ୍ୱ ଭାବରେ ପରିଗଣିତ ହୁଏ । ଆଉ ଅନ୍ୟମାନଙ୍କ ଠାରୁ ଶୁଣିଥିବା କଥା କିନ୍ତୁ ଘଟଣାକୁ ସମ୍ପୂର୍ଣ୍ଣ ଭାବରେ ଦେଖିନଥିବା ବିଷୟ ଆଦି ଜନିତ ଜ୍ଞାନ ସମ୍ପୂର୍ଣ୍ଣ ଭାବରେ ତତ୍ତ୍ୱ ଆଧାରିତ ନହୋଇ କେବଳ ଏକ ଉପପାଦ୍ୟ ହୋଇ ରହିଯାଉଥିବାରୁ ଏ ଗୁଡିକ ଜୀବନର ଅଭିଜ୍ଞତାକୁ ସୁଦୃ? କରିଥାଏ । କୌଣସି ଏକ ନିଷ୍ପତ୍ତି ନେବା ସମୟରେ ଉପପାଦ୍ୟ ଗୁଡିକ ଉପରେ ଗୁରୁତ୍ୱ ନଦେଇ ବ୍ୟକ୍ତି ତତ୍ତ୍ୱ ଉପରେ ଗୁରୁତ୍ୱ ଦିଏ । ତତ୍ତ୍ୱ ଗୁଡିକୁ ପ୍ରାଧାନ୍ୟ ନ ଦେଲେ ଯେକୌଣସି ଏକ ନିଷ୍ପତ୍ତି ନେବା କ୍ଷେତ୍ରରେ ଭୁଲ୍ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।
ନିଜକୁ ସବୁବେଳେ ଠିକ୍ ବୋଲି ଭାବୁଥିବା ବ୍ୟକ୍ତି କୌଣସି ଏକ ନୂଆ ଜ୍ଞାନ ଅର୍ଜନ କରିବାର ମାନସିକତା ରଖେନାହିଁ । ଏଭଳି ବ୍ୟକ୍ତିମାନେ ସାଧାରଣତଃ ଅଳ୍ପ ଜ୍ଞାନୀ ଏବଂ ଭୟଙ୍କର ଭାବରେ ଅଭିମାନୀ । ଜ୍ଞାନ ନଥାଇ ଅଭିମାନର କିଛି ମୂଲ୍ୟ ନାହିଁ । ଅଭିମାନ ଏବଂ ଅଭିଜ୍ଞତା ଦୁଇଟି ପରସ୍ପର ବିରୋଧୀ ପ୍ରସଙ୍ଗ । ଅତ୍ୟଧିକ ଅଭିମାନ କରୁଥିବା ବ୍ୟକ୍ତିର ଅଭିଜ୍ଞତା ନଥାଏ ଓ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତି କେବେ ଅଭିମାନ କରେ ନାହିଁ । ବିଜ୍ଞଜନମାନେ ଜୀବନରେ ଏହି ଶିକ୍ଷାକୁ ପ୍ରାଧାନ୍ୟ ଦିଅନ୍ତି ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।