ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ : “ଠିକ କଥା । କୋଟି ମୁହୂର୍ତ୍ତରୁ ଏକ ମୁହୂର୍ତ୍ତର ବିଳମ୍ବ ବା ତ୍ୱରିତ । ଏତେ ଯେ ମୁହୂର୍ତ୍ତ ତା’ କେବେ ଗଣି ହୁଏନା । ସେ ଭିତରେ ଆଉ କିଛି ମୁହୂର୍ତ୍ତ ମାତ୍ର ।”
“ସତରେ ଆବଶ୍ୟକ ନାହିଁ ।”
“ତଥାପି ମନରେ ପ୍ରଶ୍ନ ଆସେ ।”
“କିଏ ଯଦି ରହିଗଲା, ତା’କୁ ସାହାଯ୍ୟର ଆବଶ୍ୟକତା ଅଛି । ଏଇ ପ୍ରଶ୍ନ କରିବାକୁ ଚାହୁଁଛତ?”- ଅସୀମ ଶୋଭନା କହିବା ଆଗରୁ କହିଦେଲେ ।
“ଠିକ, ସାହାଯ୍ୟର ଆବଶ୍ୟକତା ଅଛି ତ ।”
“ଶୋଭନା, ସାହାଯ୍ୟର କିଛି ଆବଶ୍ୟକତା ନାହିଁ । ପ୍ରକୃତି ସେତିକି ଶକ୍ତି ଭରି ଦେଇଛି ବାହୁରେ, ଫ୍ଲିପରରେ, ସେତିକିରେ ସେ ନିଜକୁ ମୁକ୍ତ କରିପାରିବ । ଯଦି ବାହୁରେ ଶକ୍ତି ନାହିଁ, ଏତିକିରେ ଯାତ୍ରା ସମାପ୍ତ ହେବ ।”
“କଥା ଟିକିଏ ତିକ୍ତ । ତୁମେ ହୃଦୟହୀନ ହୋଇଯାଉଛି ଅସୀମ ।”
“କିନ୍ତୁ ଏହାହିଁ ସତ୍ୟ ଶୋଭନା, ସାହାଯ୍ୟର ମୋଟେ ଆବଶ୍ୟକତା ନାହିଁ । ଯାତ୍ରା ସବୁ ସ୍ୱତନ୍ତ୍ର, କାହାର ଅତି ଦୀର୍ଘ ତ କାହାର ଅତି କ୍ଷୁଦ୍ର । ବାସ ସେତିକି ମୁହୂର୍ତ୍ତ ଯାଏ ଯାତ୍ରା ଶୋଭନା ।”
ଏ ଭିତରେ ପ୍ରଥମ କଚ୍ଛପ ଛୁଆଟି ସାମାନ୍ୟ ମୁଣ୍ଡ କାଢିନେଲା । ତା’ ଆଖି ଆଉ ଥଣ୍ଟ ସ୍ପଷ୍ଟ ଦେଖାଯାଉଥିଲା । କାନ୍ଧ ପାଖର ଫ୍ଲିପର ତଥାପି ବାଲିରେ ଥିଲା । ଛୁଆଟି ଏପଟ ସେପଟ ହୋଇ ବାଲି ଠେଲୁଥିଲା । କିଛି ଠେଲି ଥକି ଯାଉଥିଲା ଆଉ ଧୀରେ ତା’ ବେକ ପାଖର ଦୁଇ ଫ୍ଲିପର ବାହାରି ଆସିଲା ।
“ଅସୀମ, ଚେଷ୍ଟା ସଫଳତା ଦିଏ ।”
“ପ୍ରଚେଷ୍ଟା । କ୍ରମାଗତ ଚେଷ୍ଟା । ଆଉ କଚ୍ଛପ ଛୁଆଟି ନିଜକୁ ବାଲିର ବନ୍ଧନରୁ ମୁକ୍ତ କରୁଛି ।”
“ଏକ ବିରାଟ ପାହାଡ, ନିଜକୁ ତା’ ଭିତରୁ ବାହାର କରୁଛି । ଅନ୍ଧାରର ପର୍ବତକୁ ଚେଷ୍ଟା କେବଳ ଦୂରୀଭୂତ କରିପାରେ ।”
ଛୁଆଟି ନିଜର ଚେଷ୍ଟା ସେମିତି ଚଲେଇଥିଲା ଆଉ ଧୀରେ ତା’ର ପ୍ରଥମ ଦୁଇ ଫ୍ଲିପର ବାଲିରୁ ମୁକ୍ତ ହୋଇଗଲା । ଛାତିରୁ ତଳ ଅଂଶ ଏପର୍ଯ୍ୟନ୍ତ ବାଲିର ଭିତରେ । କଚ୍ଛପ ଶିଶୁଟି ତଳ ଫ୍ଲିପରେ ଭିତରେ ସାମାନ୍ୟ ବାଲିକୁ ଠେଲୁଥିବ ଆଉ ଆଗ ଫ୍ଲିପରର ଦ୍ୱାର ନିଜକୁ ଆଗକୁ ଠେଲିବାକୁ ଚେଷ୍ଟା କରୁଥିଲା । ତାସହ ମଧ୍ୟ ଅନ୍ୟ ଛୁଆମାନେ ନିଜ ମୁକ୍ତିର ଭିନ୍ନ ଭିନ୍ନ ସୋପାନରେ ଥିଲେ । ପ୍ରଥମ ଛୁଆଟି ଫ୍ଲିପରରେ ନିଜକୁ ଆଗକୁ ବଢାଇବାକୁ ଚେଷ୍ଟା କରୁଥିଲା । ଥକି ଯାଉଥିଲା, ସାମାନ୍ୟ ରହିଯାଉଥିଲା ଆଉ ପୁଣି ନିଜ ଚେଷ୍ଟା ବଜାୟ ରଖୁଥିଲା “ଅସୀମ, ଛୁଆର ଭିତରେ ଏତେ ଶକ୍ତି ଆସୁଛି କେମିତି? ନିଜକୁ ମୁକ୍ତ କରିବାକୁ ଚେଷ୍ଟା କେମିତି ଚଳାଇଛି? ଆଶ୍ଚର୍ଯ୍ୟ ଲାଗୁନି କି?”
“ଶୋଭନା ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛି । କାଲି ପର୍ଯ୍ୟନ୍ତ ବାଲି ଭିତରେ ପୋତିହୋଇଥିଲା, ଏକ ଅଣ୍ଡା ଭିତରେ ଜୀବନ ଆବଦ୍ଧ ଥିଲା । ଆଜି ବାହାରକୁ ଆସୁଛି, ନିଃଶ୍ୱାସ ନେଉଛି ।”
କଚ୍ଛପ ଛୁଆମାନଙ୍କ ପ୍ରଚେଷ୍ଟା ଜାରି ରହିଥିଲା । ଶେଷରେ ପ୍ରଥମ ଛୁଆଟି ବାଲିରୁ ମୁକ୍ତ ହୋଇଗଲା । ଏବେ ଶରୀର ପଛ ଦୁଇ ଫ୍ଲିପର କାମ କରୁଥିଲା ଆଉ ଆଗ ଦୁଇ ଫ୍ଲିପର ଖୋଲିଯାଇଥିଲା । ଛୁଆଟି ବାହାରି ଆସିବା ପରେ ସାମାନ୍ୟ ବିରତି ନେଲା ଆଉ ତା’ ପରେ ପୁଣି ପ୍ରଚେଷ୍ଟା । ସେଇ ଛୋଟ ଗାତଟି ଛୁଆ ପାଇଁ ବଡ ହୋଇଯାଇଥିଲା । ସେ ନିଜର ଆଗ ଦୁଇ ଫ୍ଲିପରରେ ନିଜକୁ ଜୋରରେ ଠେଲି ଦେଉôଲା ଆଉ ପରେ ପଛ ଦୁଇ ଫ୍ଲିପର କାମ କରୁଥିଲା । ବାଲି ସାମାନ୍ୟ ଆଡେଇ ହୋଇଯାଉଥିଲା ଆଉ ଛୁଆଟି ଟିକେ ଆଗେଇ ଯାଉଥିଲା । ତା’ ଆକାର ପାଇଁ ବାଲି ଥିଲା ଏକ ବିରାଟ ପର୍ବତ । ଛୁଆଟିର ଗତି ଏକ ଫ୍ରି ଷ୍ଟାଇଲ ସନ୍ତରଣକାରୀ ଭଳି ଲାଗୁଥିଲା, ପ୍ରଥମେ ଦୁଇ ହାତ ଜୋରରେ ପାଣିକୁ ପଛକୁ ଠେଲିଦିଏ ଆଉ ପରେ ଦୁଇ ଗୋଡ ପାଣିକୁ ପଛକୁ ଠେଲେ । ହାତ ଏକ ପୂର୍ଣ ବୃତ୍ତ ପ୍ରାୟ ନେଇଯାଏ । ସେମିତି ଥିଲା କଚ୍ଛପ ଛୁଆଟିର ଫ୍ଲିପରର ପ୍ରଥମ ଗତି ।
ତାପରେ ଅନେକ ଅନେକ ପ୍ରଚେଷ୍ଟା । ଏ ଭିତରେ ବହୁ କଚ୍ଛପ ଛୁଆ ଗାତରୁ ମୁକ୍ତ ହୋଇସାରିଥିଲେ । ସେମାନେ ସମସ୍ତେ ସେଇମିତି ଗତିରେ ଆଗକୁ ଯିବାକୁ ଚେଷ୍ଟା କରୁଥିଲେ । ଦିଗ ଜାଣି ନାହାନ୍ତି, କିଛି ବୁଝି ପାରୁନାହାନ୍ତି, କିନ୍ତୁ ହାତ ଗୋଡ ହଲାଇ ଆଗକୁ ବାସ୍ ବଢିଯାଉଛନ୍ତି । ଯିଏ ଯେେଉଁ ଦିଗକୁ ସମ୍ଭବ ସେଇ ଦିଗକୁ ଚାଲିଯିବାକୁ ଚେଷ୍ଟା କରୁଛି । ଚେଷ୍ଟା ସାମାନ୍ୟ କମ ହେଉନି । ପ୍ରଥମ ଛୁଆଟି ଗାତକୁ ଅତିକ୍ରମ କରିଯାଇଥିଲା । ଅସୀମ ଆଉ ଶୋଭନା ବିସ୍ମୟ ସହକାରେ, ସଂମ୍ପୂର୍ଣ ଅଭିଭୂତ ହୋଇ ପ୍ରକୃତିର ଚମକ୍ରାର ଦେଖୁଥିଲେ । ସେମାନଙ୍କର ମୁହଁରେ ଭାଷା ଆସୁନଥିଲା ।
“ଆଉ ତା’ପରେ କେଉଁ ଦିଗ?”- ଶୋଭନା ନିଜକୁ ଯେମିତି ପଚାରୁଥିଲେ ।
ଗୋଟିଏ ପଟେ ଥିଲା ସମୁଦ୍ରର ଢେଉ, ଆଉ ଅନ୍ୟ ପଟେ ଥିଲା କିଛି ଲତା, ତା’ପରେ ଗଛମାନ କୂଳରେ । ସେ ଦିଗକୁ ଗଲେ କଚ୍ଛପର ଛୁଆ ଦିଗହୀନ ହୋଇଯିବ ଆଉ ପାଣି ପାଖରେ ପହଞ୍ଚôପାରିବନି । ଅନ୍ୟ ଦିଗକୁ ଗଲେ ସେ ଛୁଆ ପାଣି ପାଖରେ ପହଞ୍ଚô ନିଜ ଜୀବନର ଲମ୍ବା ମହାନ ଯାତ୍ରା ଆରମ୍ଭ କରିବ । କିନ୍ତୁ ଦିଗ ପାଇବ କେମିତି? କେହି ବାଟ ଦେଖାଇବାକୁ ନାହାନ୍ତି । ସମୁଦ୍ର ପାଣି ଉପରେ ବୋହୁଥିବା ପବନରୁ ସେମାନେ କ’ଣ ଓଦା ପାଣିର ସ୍ୱାଦ ଜାଣିସାରିଲେଣି? ସେଇମାନେ କ’ଣ ପବନରେ ବୋହିଆସୁଥିବା ଢେଉର ଭାଙ୍ଗି ପଡୁଥିବା ଶବ୍ଦକୁ ଜାଣି ପାରୁଛନ୍ତି? କ’ଣ ସେମାନଙ୍କୁ ପାଣିର ଦିଗକୁ ନେଇଯିବ? ଅସୀମ ଆଉ ଶୋଭନାଙ୍କୁ କିଛି କରିବାର ନଥିଲା । ପ୍ରଥମ ଛୁଆଟି ଘୋଷାରି ହୋଇ ଦିଗ ବଦଳାଇଦେଲା । ତା’ପରେ ସାମାନ୍ୟ ଏପଟ ସେପଟ ବୁଲି ପଡିଲା ଆଉ ଶେଷରେ ତା’ ମୁହଁ ପାଣି ଆଡକୁ ହୋଇଗଲା । କେହି କିଛି କରିନାହାନ୍ତି । ସେ ନିଜର ଦିଗ କାହା ନିଦେ୍ର୍ଦଶରେ ପାଣି ଆଡକୁ ବୁଲାଇଦେଲା ତାହା କେହି ଦେଖିନାହାନ୍ତି ଆଉ ତା’ର ଛୋଟ ଶରୀରଟା ପାଣି ଆଡକୁ ଘୋଷାରି ଯାଉଥିଲା । ବାଲିରେ ତା’ ଘୋଷରା ଚିହ୍ନ କିଛି ରହିଯାଉଥିଲା । ସ୍ପଷ୍ଟ ଚିହ୍ନ । ସେମିତି ପଛେ ପଛେ ଆଉ କେତେ କଚ୍ଛପ ଛୁଆ ନିଜ ନିଜର ଦିଗ ଠିକ କରିନେଇ ପାଣି ଆଡକୁ ମୁହଁ କରିଦେଇଥିଲେ । ସେମାନେ କେତେବେଳେ ବଡ କୁଦଟିଏ ଚଢିଯାଉଥିଲେ ଆଉ ତଳକୁ ଓହ୍ଲାଇ ଆସୁଥିଲେ । କେତେବେଳେ ଓଲଟି ଯାଉଥିଲେ । ସେମାନଙ୍କ ଛୋଟ ଛୋଟ ଫ୍ଲିପରମାନ ଜୋରରେ ହଲୁଥିଲା ସତେ ଯେମିତି ଆହୁଲା ମାରୁଛି । ଶେଷରେ ସେମାନେ କେମିତି ନିଜକୁ ସିଧା କରାଇଦେଇ ଯାତ୍ରା ପୁଣି ଆରମ୍ଭ କରିନେଉଥିଲେ । ଏକ ଯାତ୍ରାରେ ସାମାନ୍ୟ ବିଶ୍ରାମ ଅଛି, କିନ୍ତୁ ଯାତ୍ରାରେ ପୂର୍ଣ୍ଣ ବିରତି ନାହିଁ । (କ୍ରମଶଃ)
ଭୁବନେଶ୍ୱର