ଅମଲା ସଂଘର କଲମ ଛାଡ଼ ଆନେ୍ଦାଳନ
ଯାଜପୁର ଟାଉନ : ବରୀ ବ୍ଲକର କନିଷ୍ଠ ରାଜସ୍ୱ ସହାୟକ ଅମର ନାୟକଙ୍କୁ ବିଧାୟକ ବିଶ୍ୱରଂଜନ ମଲିକ ଆକ୍ରମଣ ପ୍ରତିବାଦ୍ରେ ମଙ୍ଗଳବାର ଅମଲା ସଂଘ ପକ୍ଷରୁ କଲମ ଛାଡ଼ ଆନେ୍ଦାଳନ କରାଯାଇଛି । ୫ତାରିଖ ସମସ୍ତ କର୍ମଚାରୀ କଳା ବ୍ୟାଜ୍ ପିନ୍ଧିଥିବା ବେଳେ ୬ତାରିଖ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଲମଛାଡ଼ ଆନେ୍ଦାଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଅତିରିକ୍ତ ଜିଲାପାଳ (ସାଧାରଣ)ଯୁଧିଷ୍ଠିର ନାୟକଙ୍କ ପ୍ରକୋଷ୍ଠରେ ପୁଲିସ ପ୍ରଶାସନ ଓ ଧାରଣାରତ ଅମଲା ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇଥିଲା । ଆଲୋଚନାରେ ଅତିରିକ୍ତ ଜିଲାପାଳ ନାୟକଙ୍କ ସମେତ ଜିଲା ପରିଷଦ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତିକଣ୍ଠ କାନୁନଗୋ, ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଥାନାଧିକାରୀ ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ଆଲୋଚନା କରିଥିଲେ । ସଂପୃକ୍ତ ବିଧାୟକଙ୍କ ନାଁରେ ଅଭିଯୋଗ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତା ଦଫାରେ ମାମଲା ରୁଜୁ କରାଯାଇ ନୋଟିସ ପ୍ରଦାନ କରାଯାଇଛି ବୋଲି ପୁଲିସ ଅମଲା ସଂଘ କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ । ଧାରଣାରେ ଅମଲା ସଂଘର ଜିଲା ସଭାପତି ନିଗମାନନ୍ଦ ମାନ୍ଧାତା, ସମ୍ପାଦକ ମଦନ ମୋହନ ପତି, ପ୍ରସନ୍ନ କୁମାର ନାୟକ, କୋରାପୁଟ ଜିଲା ଶାଖା ସଭାପତି ମନୋଜ କୁମାର ବାରିକ, ଉପସଭାପତି ଅମିତ କୁମାର ସୁବୁଦ୍ଧି ସମେତ ଜିଲ୍ଲାର ଅମଲା ସଂଘର ସଦସ୍ୟ ଧାରଣାରେ ବସି ରହିଥିଲେ । ଅନ୍ୟପକ୍ଷରେ ବରୀ ବ୍ଲକ ୨ କର୍ମଚାରୀଙ୍କୁ ଅମଲା ସଂଘ ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦଥିବାରୁ ସେମାନଙ୍କୁ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ କର୍ମଚାରୀଦ୍ୱୟଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । କର୍ମଚାରୀ ଅଶ୍ୱିନୀ କୁମାର ସାହୁଙ୍କୁ ବରୀ ବ୍ଲକରୁ ଯାଜପୁର ଉପଜିଲାପାଳ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅମର ରଞ୍ଜନ ନାୟକଙ୍କୁ ବରୀ ବ୍ଲକରୁ ସୁକିନ୍ଦା ତହସିଲକୁ ବଦଳି କରାଯାଇଛି । ଜିଲାପାଳଙ୍କ ଆଦେଶ ନଂ.୬୬୨୭ ତା୬ା୫ା୨୦୨୫ରିଖରେ ଉଲ୍ଲେଖ କରାଯାଇଛି । ଏହାର ନକଲ ଅତିରିକ୍ତ ଜିଲାପାଳ(ରାଜସ୍ୱ), ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉପଜିଲାପାଳ, ବିଡିଓ ବରୀ, ତହସିଲଦାର ସୁକିନ୍ଦାକୁ ଅବଗତ କରାଯିବା ସହ ୨ କର୍ମଚାରୀଙ୍କୁ ଅବଗତ ମଧ୍ୟ କରାଯାଇଛି । ଏସମ୍ପର୍କରେ ରାଜସ୍ୱ ଆୟୁକ୍ତ କଟକକୁ ମଧ୍ୟ ଜିଲାପାଳ ତାଙ୍କ ଆଦେଶନାମା ମାଧ୍ୟମରେ ଅବଗତ କରିଛନ୍ତି । ତେବେ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣା ମିଛ ବୋଲି ବିଧାୟକ ଦୋହରାଇଛନ୍ତି ।