ବିଦୁ୍ୟତ ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର
ବ୍ରହ୍ମବରଦା : ମଙ୍ଗଳବାର ଅପରାହ୍ନରେ ୧୧ କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକ ଜଣଙ୍କ ଧର୍ମଶାଳା ଥାନା ଅଧିନ ଆରାବଳ ପଞ୍ଚାୟତ ସାନ ବାଲିକୁଦା ଗ୍ରାମର ଭାଗବତ ସାମଲଙ୍କ ପୁଅ ଶନି (୧୮)ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଓ ପରେ କଟକ ବଡ ମେଡିକାଲରେ ଚିକିତ୍ସିତ କରାଇଛନ୍ତି । ଖବର ମତେ ଆଜି ବ୍ରହ୍ମବରଦା ଥାନା ନିକଟରେ ଏକ କ୍ଲବ ଘର ଛାତ ପଡିବା ନେଇ ରଡ ବନ୍ଧା କାର୍ଯ୍ୟ ଚାଲୁ ରହିଥିଲା । ଏହି ସମୟରେ ଶନି ରଡ ବାନ୍ଧୁଥିବା ଅବସ୍ଥାରେ ଅନ୍ୟମନସ୍କରେ ରଡର ଏକ ପାଖ ନିକଟରେ ଯାଇଥିବା ୧୧ କେଭି ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ଶନି ବିଦ୍ୟୁତ ତାର ଆଘାତରେ ତଳକୁ ଛିଟିକି ପଡିଥିବା ବେଳେ ତାଙ୍କର ହାତ,ଗୋଡ ଓ ମୁଣ୍ଡରେ ଗଭିର ଆଘାତ ଲାଗଥିଲା ।ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ବଡ ମେଡିକାଲକୁ ନେଇଯାଇଥିଲେ । ସେଠାରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ଏନେଇ ବ୍ରହ୍ମବରଦା ବିଦୁ୍ୟତ ବିଭାଗର କନିଷ୍ଟଯନ୍ତ୍ରୀ ସୟଦ ଇବ୍ରାର ଅଲ୍ଲି ଅବଗତ ଥିଲେ ମଧ୍ୟ ସମ୍ପୃକ୍ତ ଶ୍ରମିକ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବା ସେ କହିଛନ୍ତି ।