ଅମୃତ ସରୋବର ‘ନୂଆମୁଣ୍ଡା’
ଭୁବନେଶ୍ୱର/ବଲାଙ୍ଗୀର: ଜଳ ସେଚନ, ସଂରକ୍ଷଣ ଓ ଦୈନନ୍ଦିନ ବ୍ୟବହାର ପାଇଁ ଅମୃତ ସରୋବର କାର୍ଯ୍ୟକ୍ରମରେ ଜଳାଶୟର ପୁନରୁଦ୍ଧାରର ସଫଳ କାହାଣୀ ହୋଇଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଗସିକାନାର ନୂଆମୁଣ୍ଡା ପୋଖରୀ । ସରକାରଙ୍କ ଦ୍ୱାରା ଯୋଜନା ପ୍ରଣୟନ, ପ୍ରଶାସନିକ ପ୍ରକ୍ରିୟା ଏବଂ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଏକ ଅବହେଳିତ ପୋଖରୀର ପୁନରୁଦ୍ଧାର ଯେତେ ସୁନ୍ଦର ଭାବରେ ହୋଇଛି ତାହା ଏକ ଉଦାହରଣ ହୋଇପାରିଛି ।
ପ୍ରାଚୀନ ଏବଂ ପୂଜ୍ୟ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ନିକଟରେ ୧.୧ ଏକର ଜମିରେ ବିସ୍ତାରିତ ନୂଆମୁଣ୍ଡା ପୋଖରୀ, ଏହି ଅଞ୍ଚଳର ଲୋକଙ୍କ ପାଇଁ ସର୍ବଦା ସାଂସ୍କୃତିକ ଏବଂ ଧାର୍ମିକ ଗୁରୁତ୍ୱ ବହନ କରିଆସିଛି । ଦଶନ୍ଧି ଧରି ଭକ୍ତ ଏବଂ ଗ୍ରାମବାସୀମାନେ ପୂଜାପାଠ ଏବଂ ସାମୁଦାୟିକ ସମାବେଶ ପାଇଁ ଟ୍ୟାଙ୍କକୁ ବ୍ୟବହାର କରୁଥିଲେ । କିନ୍ତୁ ବର୍ଷ ବର୍ଷ ଧରି ପୋଖରୀଟି ଧିରେ ଧିରେ ପୋତି ହୋଇଯିବା, ବନ୍ଧ ଦୁର୍ବଳ ହେବା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଜଳଧାରଣ କ୍ଷମତା ହରାଇ ବସିଥିଲା । ଯଦିଓ ଗାଁ ଲୋକଙ୍କ ଦ୍ୱାରା ଏହାର ପବିତ୍ରତାକୁ ବଜାୟ ରଖିବା ପାଇଁ ଛୋଟମୋଟ ମରାମତି କରାଯାଇଥିଲା । ମାତ୍ର ସ୍ଥାନୀୟ ଲୋକମାନେ ପୋଖରୀର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ମତପ୍ରକାଶ କରିଥିଲେ ଯାହା ଆଧ୍ୟାତ୍ମିକ ପରିବେଶକୁ ବଜାୟ ରଖିବା ସହ ସେମାନଙ୍କ ଜୀବିକା ପାଇଁ ସ୍ଥାୟୀ ମାଧ୍ୟମ ଯୋଗାଇବ ।
ତୃଣମୂଳସ୍ତରରେ ଜନଭାବନା ଅନୁସାରେ ଏହି ପ୍ରକଳ୍ପକୁ ସାମାଜିକ ଓ ସରକାରୀ ସହଭାଗିତାରେ ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇ ପାରିଛି ବୋଲି ସ୍ଥାନୀୟ ସରପଞ୍ଚ ଜୀବନୀ ଦାଶ ପ୍ରକାଶ କରିଛନ୍ତି । ଅମୃତ ସରୋବର ମିଶନ ଅଧୀନରେ ଓଡ଼ିଶାରେ ୭୦୭୫ ଟି ସ୍ଥାନ ଚିହ୍ନଟ କରାଯାଇଛି ଓ ୪୮୭ ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି ।