ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସ ଉଦ୍ଘାଟିତ
ଭୁବନେଶ୍ୱର : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଅହମ୍ମଦାବାଦର ନାରନପୁରା ଠାରେ ପ୍ରାୟ ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଗୁଜରାଟ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସଂଘବୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ନାରଣପୁରାରେ ଏକ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବ ନେଇ ଯାଇଥିଲି, ସେତେବେଳେ ପ୍ରଧାନମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ଯେ ଏହାକୁ ଏକ ବିଶ୍ୱସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ଭାବେ ବିକଶିତ କରାଯିବା ଉଚିତ । ଆଜି ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସ ଅନ୍ତର୍ଜାତୀୟ ମାନର ସୁବିଧା ସହିତ ପ୍ରସ୍ତୁତ ହୋଇଛି । ବୀର ସାବରକର କ୍ରୀଡ଼ା କମ୍ପ୍ଲେକ୍ସ ଭାରତର ସର୍ବବୃହତ୍ ଏବଂ ବିଶ୍ୱର ସବୁଠାରୁ ଆଧୁନିକ କ୍ରୀଡ଼ା କମ୍ପ୍ଲେକ୍ସ ମଧ୍ୟରେ ଅନ୍ୟତମ । ଅହମ୍ମଦାବାଦ ଭାରତର କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି । ବିଶ୍ୱର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ, ମୋଟେରାରେ ଅବସ୍ଥିତ । ଏହି କ୍ରୀଡା କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ କ୍ରୀଡା ସୁବିଧାରେ ୨୦୨୯ ମସିହାରେ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡ଼ାର ଆୟୋଜନ କରାଯିବ । ସେ ଏହା ମଧ୍ୟ କହିଥିଲେ ଯେ ୨୦୩୬ ମସିହାରେ ଅହମ୍ମଦାବାଦରେ ଅଲିମ୍ପିକ୍ସର ଆୟୋଜନ ପାଇଁ ଭାରତ ସରକାର ସମସ୍ତ ସମ୍ଭାବ୍ୟ ପ୍ରସ୍ତୁତି କରୁଛନ୍ତି । ଶ୍ରୀ ଶାହ ଆହୁରି କହିଥିଲେ ଯେ ୨୦୩୬ ମସିହା ସୁଦ୍ଧା ଏଠାରେ ୧୩ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ କରାଯିବ, ଯାହାଦ୍ୱାରା ଅହମ୍ମଦାବାଦ କେବଳ ଗୁଜରାଟ ପାଇଁ ନୁହେଁ, ବରଂ ସମଗ୍ର ଏସୀୟ ମହାଦେଶ ପାଇଁ କ୍ରୀଡ଼ାର କେନ୍ଦ୍ରସ୍ଥଳୀ ହୋଇପାରିବ ।