ଅସରାଏ ବର୍ଷାରେ ଘରେ ପଶିଲା ପାଣି କେବେ ସୁଧୁରିବ ସମସ୍ୟା!
ପଟ୍ଟାମୁଣ୍ଡାଇ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ଉବୁ ଟୂବୁ ହେବା ସହିତ କୁତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି ! ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷାରେ ମୁସଲମାନ ବସ୍ତିରେ ଥିବା ଲୋକମାନଙ୍କ ଘରେ ବର୍ଷା ପାଣି ଲହଡି ଭାଙ୍ଗୁଛି । କେତେକଙ୍କ ଘରେ ଆଣ୍ଠୁଏରୁ ଜଙ୍ଗେ ଯାଏ ପାଣିରେ ବୁଡି ରହିଛି । ଏଥିସହିତ ଚୁଲିରେ ପାଣି ପଶିବା ସହିତ ଥାଳି କଂସାବାସନ ଭାସୁଛି ଓ ମୁସଲମାନ ବସ୍ତିରେ ଥିବା ଗରିବ ଖଟିଖିଆମାନେ ଏଭଳି ସ୍ଥିତିରେ ଖଟ ଉପରେ ଉପାସ ଭୋକେ ପିଲାଛୁଆ ଧରି ରହିଛନ୍ତି । ଅସରାଏ ବର୍ଷା ହେଲେ ମୁସଲମାନବସ୍ତି ଉବୁଟୁବୁ ହେବା ସହିତ ବାସିନ୍ଦାଙ୍କ ସମସ୍ୟା ବଢ଼ି ବଢ଼ି ଚାଲିଛି ଓ ସ୍ଥାନୀୟ ଅଧିବାସୀ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବି କରିଛନ୍ତି ଓ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜଳନିଷ୍କାସନ ହେଉନଥିବା ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି । ଆଗକୁ ଆହୁରି ୩ଦିନ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ସମସ୍ୟା ଆହୁରି ଅଧିକ ଜଟିଳ ହେବାର ଆଶଙ୍କା କରାଯାଉଛି । ପୌରନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚି ଜଳବନ୍ଦୀ ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁସଲମାନବସ୍ତିରୁ ଜଳ ନିଷ୍କାସନ ପାଇଁ ପୌର ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଛି । ସରକାରୀ ଜମି ଜବରଦଖଲ କରାଯାଇ ବାସଗୃହ ନିର୍ମାଣ କରିବା, ପାଣି ନିଷ୍କାସନ ବାଟ ବନ୍ଦ କରିଥିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇ ଥିବାରୁ ଖୁବଶୀଘ୍ର ବେଆଇନ ଜବରଦଖଲକୁ ଉଛେଦ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ପ୍ରକାଶ କରିଛନ୍ତି ।