ପୁରୀରେ ପୁଣି ଖୋଲିବ ସିନେମାହଲ୍
ପୁରୀ : କଳା ଓ ସଂସ୍କୃତିର ସହର ଶ୍ରୀକ୍ଷେତ୍ରରେ ଏକଦା ଥିଲା ୪-୫ଟି ସିନେମା ହଲ୍, ଯେଉଁଥିରେ ପ୍ରତ୍ୟହ ବିଭିନ୍ନ ଭାଷାଭାଷି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା । ମନୋରଂଜନ ପାଇଁ ସିନେମାହଲମାନଙ୍କରେ ଭିଡ଼ ବାନ୍ଧୁଥିଲେ ଦର୍ଶକ । ବହୁ ଦିନରୁ ପୁରୀରେ ଥିବା ସିନେମା ହଲ୍ ସବୁ ବନ୍ଦ ହୋଇଯିବା ଫଳରେ ଦର୍ଶକମାନେ ଚଳଚ୍ଚିତ୍ର ଦେଖିବାରୁ ବଞ୍ଚôତ ହେଉଛନ୍ତି । ବିଭିନ୍ନ କାରଣରୁ ସହରରେ ଥିବା ଶ୍ରୀକୃଷ୍ଣ ସିନେମା, ଲକ୍ଷ୍ମୀ ଟକିଜ, ଜନତା ସିନେମା ଓ ଶ୍ରୀରାମ ଟକିଜ ନିୟମିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା । ପେଣ୍ଠକଟା ଅଞ୍ଚଳରେ ଥିବା ଏକ ସିନେମା ହଲ୍ରେ ତେଲୁଗୁ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକମାନେ ଭିଡ଼ ଜମାଉଥିଲେ । କିନ୍ଦୁ ସମୟ କ୍ରମେ ଗୋଟିକ ପରେ ଗୋଟିଏ ସିନେମା ହଲ୍ ବନ୍ଦ ହୋଇଗଲା । ୨୦୨୩ ପର୍ଯ୍ୟନ୍ତ ଜୀବିତ ଥିବା ଶ୍ରୀକୃଷ୍ଣ ସିନେମା ହଲ୍ ପରିକ୍ରମା ପ୍ରକଳ୍ପ ଯୋଗୁଁ ମୃତୁ୍ୟବରଣ କଲା । ଫନି ବାତ୍ୟା ଓ କୋଭିଡ଼ ପରେ ଚଳଚ୍ଚିତ୍ର ଶିଳ୍ପ ଅଣ୍ଟା ସଳଖୁଥିବା ବେଳେ ଦର୍ଶକମାନଙ୍କ ଅନାଗ୍ରହ ଓ ଅନ୍ୟାନ୍ୟ କାରଣରୁ ସବୁ ସିନେମା ହଲ୍ରୁ ଆଲୋକ ନିର୍ବାପିତ ହୋଇଥିଲା । କିନ୍ତୁ ଏବେ ବି ହଲ୍ରେ ସିନେମା ଦେଖିବାର ସଉକ ଅସଂଖ୍ୟ ସିନେପ୍ରେମୀଙ୍କର ରହିଛି । ସାମୟିକ ଭାବେ ବିଭିନ୍ନ ସଂସ୍ଥା ପକ୍ଷରୁ ପୌରସଦନ ଠାରେ ପ୍ରଦର୍ଶିତ ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କର ପ୍ରବଳ ଭିଡ଼ ଜମୁଛି । ଏଥିପାଇଁ ରୂପରେଖ ପ୍ରସ୍ତୁତ ସରିଲାଣି ବୋଲି କୁଯାଯାଉଛି । ସରକାର ଏଦିଗରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ବିଧାୟକ ସୁନୀଲ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ବିଧାନସଭାରେ ଶ୍ରୀ ମହାନ୍ତି ଏହି ପ୍ରସଙ୍ଗ ଉତ୍ତାପନ କରିଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ପୁରୀରେ ୩ଟି ଆଇନକ୍ସ ଓ ଗୋଟିଏ ସିନେମା ହଲ୍ ପ୍ରତିଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କେତେକ ସିନେପ୍ରେମୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।