ଅସରାଏ ବର୍ଷାରେ ଉବୁଟୁବୁ ରାସ୍ତା

  ତାଳଚେର : ଅସରାଏ ବର୍ଷା ହେଲେ ତାଳଚେର ୧୪୯ନମ୍ବର ଜାତୀୟ ରାଜପଥ ପାଲଟୁଛି କୁତି୍ରମ ହ୍ରଦ । ତାଳବେଡ଼ା ଠାରୁ ଆରମ୍ଭ କରି ବହ୍ଲର ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ଅବସ୍ଥା ହୋଇଥିବାବେଳେ ସାମନ୍ୟ ବର୍ଷା ଯୋଗୁଁ ବାଙ୍କଧରା ଛକ ରାସ୍ତା ଉପରେ ଉବୁଟୁବୁ ହେଉଛି ବସ୍, ଟ୍ରକ, କାର  ଓ ଛୋଟ ଯାନ । ବାଙ୍କଧରା ଛକ ନିକଟ ଗଡ଼ାଣିଆ ରାସ୍ତାରେ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ଛୋଟ ଗାଡ଼ି ତ ଯିବା ଦୂରର କଥା ବଡ଼ ଗାଡ଼ି ମଧ୍ୟ ଉକ୍ତ ସ୍ଥାନରେ ଫସି ରହିଥିବାରୁ ଆଜକୁ ତିନିଦିନ ହେବ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଷୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ଏହି ରାଜପଥ କଡ଼ରେ ଚାଳିଆକୁଟ୍ଟା ସାହି, ତାଳଚେର କଲେଜ, ଅଙ୍ଗନାବାଡ଼ି, ଉପ୍ରାବିଦ୍ୟାଳୟ ରହିଛି । ରାସ୍ତା କଡ଼ରେ ଶହଶହ ଗାଡ଼ି ଛିଡ଼ା ହୋଇ ରହୁଥିବାରୁ ଏହି ସମସ୍ୟାରେ ଛନ୍ଦି ହୋଇ ପଡ଼ୁଛନ୍ତି ଲୋକେ ଏବଂ ନାନାଦି କଷ୍ଟ ଭୋଗ କରୁଛନ୍ତି ବୋଲି ତାଳଚେର ପୌରପରିଷଦର ୧୧ନମ୍ବର ୱାର୍ଡ଼ ଚାଳିଆକୁଟ୍ଟା ସାହିର ଲୋକମାନେ ଅଭିଯୋଗ କରୁଛନ୍ତି । ଏହି ରାଜପଥରେ ହଜାର ହଜାର ସଂଖ୍ୟକ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାରେ ସବୁବେଳେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିଲେ ହେଁ ସ୍ଥାନୀୟ ନେତା ଓ ଏନଏଚ୍ଆଇ ବିଭାଗ କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ଏହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ଏହି ରାଜପଥ ପାଇଁ ଦୁଇ ଦୁଇ ଥର ଟେଣ୍ଡର ପ୍ରକି୍ରୟା ସରକାରଙ୍କ ପକ୍ଷରୁ ହୋଇଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ହେଉନଥିବାରୁ ରାସ୍ତାଟି ୪ଥାକିଆ ହୋଇ ପାରୁନାହିଁ । ଏହି ୪ଥାକିଆ ରାସ୍ତା ନିର୍ମାଣର ଆହେତୁକ ବିଳମ୍ବ ହେଉଥିବାରୁ ଏହି ରାଜପଥ ଅବସ୍ଥାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମଧ୍ୟ ନୂତନ ରାସ୍ତା ନିର୍ମାଣ ହୋଇ ପାରୁନଥିବା ତାଳଚେରବାସୀଙ୍କ ପାଇଁ ଅଭିଶପ୍ତ ପାଲଟି ଯାଇଛି । ଏଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ଦୈନିକ କୋଟି କୋଟି ଟଙ୍କା ରାଜସ୍ୱ ନେଉଥିଲେ ମଧ୍ୟ ଏହି ଜାତୀୟ ରାଜପଥ ସମେତ ଲୋକଙ୍କର ମୌଳିକ ଅଧିକାରୀ ପ୍ରତି ସରକାର ଧ୍ୟାନ ଦେଉନଥିବାରୁ ଏହାକୁ ନେଇ ଅଞ୍ଚଳବାସୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ତେଣୁ ତୁରନ୍ତ ଏନ୍ଏଚଆଇ ବିଭାଗ ଏହି ରାଜପଥକୁ ଦୃଷ୍ଟି ଦେବାକୁୁ ସାଧାରଣରେ ଦାବି ହେଉଛି ।