ଅସହ୍ୟ ଗୁଳୁଗୁଳି ଯୋଗୁଁ ଛାତ୍ରୀ ଅସୁସ୍ଥ
ରାଜନଗର : ରାଜନଗର ବ୍ଲକ ସଦର ମହକୁମା ସ୍ଥିତ ରାଜନଗର ହାଇସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି । ଗରମ ଗୁଳୁଗୁଳି ଯୋଗୁଁ ମଧ୍ୟାହ୍ନ ସମୟରେ ହାଇସ୍କୁଲର ନବମ ଶ୍ରେଣୀର କିଛି ଛାତ୍ରୀ ଅଂଶୁଘାତର ଶିକାର ହୋଇଥିଲେ । ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ଅସହ୍ୟ ଗରମ ଓ ଗୁଳୁଗୁଳି ସେମାନେ ସହ୍ୟ କରିପାରି ନଥିଲେ । ନବମ ଶ୍ରେଣୀର ଛାତ୍ରୀମାନେ ଜଣକ ପରେ ଜଣେ ଏମିତି ଅଚେତ ହୋଇ ଅଂଶୁଘାତର ଶିକାର ହୋଇଥିବା ଜଣାପଡିଛି । ସେମାନେ ହେଲେ ଶୁଚିସ୍ମିତା ସେଠି, ତନୁଶ୍ରୀ ଦାସ ,ଦୀପା ମଳିକ, ପୂର୍ଣ୍ଣିମା ପ୍ରଧାନ, ମାମୁନି ଦାସ, ପୂର୍ଣ୍ଣଶ୍ରୀ ପ୍ରଧାନ ଓ ପ୍ରିୟଙ୍କା ବିଶ୍ୱାଳ । ପ୍ରଧାନ ଶିକ୍ଷକ ଜ୍ଞାନରଞ୍ଜନ ଛଟେଇଙ୍କ କହିବା ଅନୁଯାୟୀ, ଛାତ୍ରୀମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା କହିଥିଲେ । ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା । ସ୍କୁଲ ପରିସରରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢୁଥିବାରୁ ଏ ଛାତ୍ରଛାତ୍ରୀଙ୍କୁ ସ୍ଥାନାଭାବ ହେଉଛି ବୋଲି କହିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ. ରଶ୍ମିରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ହାଇସ୍କୁଲର ଛାତ୍ରୀମାନେ ଅତ୍ୟଧିକ ଗରମ ଗୁଳୁଗୁଳି ଯୋଗୁଁ ଅଂଶୁଘାତର ଶିକାର ହୋଇଥିବା କହିଥିଲେ ।