ବିଧାନସଭାରେ ଉଠିଲା ଓଡିଶା କୋଷ୍ଟ କେନାଲର ପୁନରୁଦ୍ଧାର ପ୍ରସଙ୍ଗ


 ।ା ପ୍ରଭାନୁ୍ୟଜ ।ା ବାଲେଶ୍ୱର : ବ୍ରିଟିଶ ସରକାରଙ୍କ ଅମଳରେ ନିର୍ମିତ ଓଡିଶା କୋଷ୍ଟ କେନାଲ ଓଡିଶା ଓ ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ଜଳପଥରେ ବ୍ୟବସାୟ ତଥା ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ କରିବାରେ ଏକ ସ୍ୱତନ୍ତ୍ର ପରିଚୟ ପାଇଥିଲା । ମାତ୍ର ଦେଶ ସ୍ୱାଧୀନ ହେବା ପରେ ଏହାର ବ୍ୟବହାରିକ ଉପାଦେୟତା କମିବା ସହ ଧିରେ ଧିରେ ଏହା ପୋତି ହୋଇଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡି ରହିଛି ଦୀର୍ଘ ଏକ ଶତାବ୍ଦୀରୁ ଊର୍ଦ୍ଧ୍ୱ ପୁରୁଣା ଓଡିଶା କୋଷ୍ଟ କେନାଲ । ଏପରିକି ଏହାର ଅସ୍ତିତ୍ୱ ବିଲୁପ୍ତ ହେବାକୁ ବସିଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅଧିନ ନସରାବାଦ ଠାରେ ଏହି କେନାଲ ଓଡିଶାରେ ପ୍ରବେଶ କରି ଭଦ୍ରକ ଜିଲ୍ଲାରେ ମନ୍ତେଇ ନଦୀର ଚାରବାଟିଆ ଘାଟ ପର୍ଯ୍ୟନ୍ତ ଲମ୍ବିଛି । ଏହାର ଲମ୍ବ ମୋଟ ୧୧୪.୬୦ କିଲୋମିଟର ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୮୮.୫୦ କିଲୋମିଟର ଓ ଭଦ୍ରକ ଜିଲ୍ଲାରେ ୨୬.୧୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ସମୟ ସମୟରେ ଦାବି ହେଉଥିଲେ ବି ସରକାରଙ୍କ ପକ୍ଷରୁ ଏ ଦିଗରେ କୋଣସି ନିର୍ଦ୍ଦିଷ୍ଟ ଯୋଜନା ହୋଇନାହିଁ । ତେବେ ସାମ୍ପ୍ରତିକ ସ୍ଥିତିରେ ଓଡିଶା କୋଷ୍ଟ କେନାଲ ଓ ତଦ୍ ସଂଲଗ୍ନ ନାଳଗୁଡିକର ବାସ୍ତବିକ ଅବସ୍ଥା ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ବିଧାନସଭାର ପ୍ରଶ୍ନକାଳରେ ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ ଉଠାଇଥିଲେ । କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ସରକାର ପୂର୍ବରୁ ନେଇଥିବା ପଦକ୍ଷେପ ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ । ଏ ବାବଦରେ କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ବିବରଣୀ ଦେବାକୁ ଶ୍ରୀ ଦତ୍ତ ଅନୁରୋଧ କରିଥିଲେ । ତେବେ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ପୂର୍ବକ କୋଷ୍ଟ କେନାଲର ପୁନଃଖନନ ପାଇଁ ସରକାରଙ୍କ ପକ୍ଷରୁ ନିଆଯିବାକୁ ଥିବା ଯୋଜନା ସହିତ ଚଳିତ ଆର୍ଥିକ ବର୍ଷରେ ଏ ନେଇ ସମ୍ପୂର୍ଣ୍ଣ ଅନୁଦାନ ପ୍ରଦାନ ହେବ କି ବୋଲି ଶ୍ରୀ ଦତ୍ତ ପ୍ରଶ୍ନ ପଚାରିଥିଲେ । ଜଳସେଚନ ବିଭାଗ ନିଜ ଅଧିନରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଓଡିଶା କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହାର ସମ୍ପୂର୍ଣ୍ଣ କାୟାକଳ୍ପ ପରିବର୍ତ୍ତନ ପାଇଁ ବିସ୍ତୃତ ଅନୁସନ୍ଧାନ ସହିତ ବ୍ୟବହାରିକ ବିବରଣୀ ଓ ପର୍ଯ୍ୟାୟକ୍ରମିକ ବିକାଶ ପାଇଁ ଡିପିଆର ପ୍ରସ୍ତୁତି ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଛି । ସମ୍ପ୍ରତି ଏହି ପ୍ରକିୟା ଜାରି ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।