ଆଇସିସି ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ପାଇଁ ଇଟାଲୀ ଯୋଗ୍ୟ

 ଦୁବାଇ : ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ପ୍ରଥମଥର ପାଇଁ ଯୋଗ୍ୟତା ଅର୍ଜନ କରିଛି ଇଟାଲୀ । ଅର୍ଥାତ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାର ବିଭିନ୍ନସ୍ଥାନରେ ଟି-ଟ୍ୱେଣ୍ଟି ୱାର୍ଲ୍ଡ କପ୍ ଆୟୋଜିତ ହେବାକୁ ଥିବା ବେଳେ ନୂଆଦଳ ଭାବେ ଇଟାଲୀ ପ୍ରଥମଥର ଖେଳିବ । ସେହିପରି ନେଦରଲ୍ୟାଣ୍ଡସ୍ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ୟୁରୋପୀୟ କ୍ୱାଲିଫାୟରରେ ଶୀର୍ଷ-୨ ସ୍ଥାନ ହାସଲ କରି ଉଭୟ ଦଳ ଏହି ସଫଳତା ହାସଲ କରିଛନ୍ତି । ଗତ ୪ଟି ଟି-୨୦ ବିଶ୍ୱକପ୍ରେ ଖେଳିଥିବା ସ୍କଟଲ୍ୟାଣ୍ଡ ଜର୍ସି ବିପକ୍ଷରେ ଶେଷ ବଲ୍ରେ ପରାସ୍ତ ହେବାରୁ ନିରାଶ ହେବାକୁ ପଡ଼ିଛି । ସ୍କଟଲ୍ୟାଣ୍ଡ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ । ଟିମ୍ ୪ଟି ମ୍ୟାଚ୍ରୁ କେବଳ ଗୋଟିଏ ମ୍ୟାଚ ଜିତିଥିଲା । ଜୁଲାଇ ୧୧, ୨୦୨୫ରେ ଖେଳାଯାଇଥିବା ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଇଟାଲୀ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଇଟାଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା । ଜବାବରେ ନେଦରଲ୍ୟାଣ୍ଡସ୍ ୧୬.୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା । ସେପଟେ ଶେଷ ମ୍ୟାଚରେ ଗୋଟିଏ ୱିକେଟରେ ଜିତିବା ସତ୍ତ୍ୱେ ଜର୍ସି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲା । ଇଟାଲୀ ଏବଂ ଜର୍ସି ଉଭୟ ପାଞ୍ଚ ପଏଣ୍ଟ ପାଇଥିଲେ । କିନ୍ତୁ ଭଲ ନେଟ୍ ରନ ରେଟ୍ ଯୋଗୁଁ ଇଟାଲୀ ୨୦୨୬ ୱାର୍ଲ୍ଡକପ୍ ପାଇଁ ମନୋନୀତ ହୋଇଛି ।