ଆକ୍ସନ ମୋଡରେ "ହର' ଟିମ ; ଧରାପଡ଼ିଲା ଫେକ୍ ଇନଷ୍ଟାଗ୍ରାମ୍ ଠକ

ଆକ୍ସନ ମୋଡରେ "ହର' ଟିମ ; ଧରାପଡ଼ିଲା ଫେକ୍ ଇନଷ୍ଟାଗ୍ରାମ୍ ଠକ
  •  
    ଭୁବନେଶ୍ୱର, ୬ା୯ : ରାଜଧାନୀରେ ମହିଳାଙ୍କ ସୁରକ୍ଷା ଲାଗି କମିଶନରେଟ ପୁଲିସ ସଜାଗ ହୋଇ ଉଠିଛି । ବିଶେଷ କରି କର୍ମଜୀବୀ ମହିଳାମାନେ ରୋଡ ରୋମିଓଙ୍କ ଦୁର୍ବ୍ୟବହାରର ଶିକାର ହେଉଥିବାରୁ ଏହାକୁ ରୋକିବା ଲାଗି ପୁଲିସ ଏକ ନୂଆ ପକ୍ଷକ୍ଷେପ ଗ୍ରହଣ କରିଛି । ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଏହି ରୋଡ ରୋମିଓଙ୍କ ଉପରେ କଡା ନଜର ରଖାଯାଇଛି । ଏହି ଟିମର ନାଁ ‘ହର୍’ ବା ‘ଏଚ୍ଇଆର’ରଖାଯାଇଛି । ଏଚଇଆରର ଅର୍ଥ ‘ହାଇ ଏଫିସିଏନ୍ସି ରେସପନ୍ସ’ । ଏହି ଟିମର ମଙ୍ଗ ଧରିଛନ୍ତି ମହିଳା ଏସିପି ଅଞ୍ଜନା ଟୁଡୁ । ଗତ ଏପ୍ରିଲ ମାସ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବହୁ ରୋଡ ରୋମିଓ, ଅସଦାଚରଣ, ଫେକ୍ ଆକାଉଣ୍ଟ୍ ଜରିଆରେ ଠକେଇ, ବ୍ଲାକମେଲିଂ ଭଳି ବହୁ ସଙ୍ଗିନ୍ ମାମଲାକୁ ଗୁରୁତ୍ୱ ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ସବୁଦିନ ପରି ଆଜି ମଧ୍ୟ ଜଣେ ଫେକ୍ ଇନଷ୍ଟାଗ୍ରାମ ଖୋଲି ଯୁବତୀଙ୍କୁ ମେସେଜ୍ ପରେ ତାଙ୍କର ଫେକ୍ ଅଶ୍ଳିଂଳ ଫୋଟ ପଠାଇ ବ୍ଲାକମେଲିଂ କରି ତାଙ୍କ ସହ ରିଲେସନ୍ ରଖିବାକୁ କହି ମାନସିକ ନିର୍ଯ୍ୟାତନା ଦେଇ ହାରସମେଣ୍ଟ କରୁଥିବା ଓ ଅଶ୍ଳିଳ ଫୋଟକୁ ସୋସାଲ ମିଡ଼ିଆରେ ପୋଷ୍ଟ କରି ଠକେଇ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ସାଇବର ଥାନା ପୁଲିସ ଓ ହର୍ ଟିମ । ଗିରଫ ଅଭିଯୁକ୍ତ ହେଲା କଟକ ନିଆଳୀର ବାଦଲ ଦାଶ । ସେ ଜଣେ ସିକୁ୍ୟରିଟି ଗାର୍ଡ ବୋଲି ଜଣାପଡ଼ିଛି । 
     ସୂଚନାଯୋଗ୍ୟ ଯେ, ରାଜଧାନୀ ଓ ଉପକଣ୍ଠରେ ରୋଡ ରୋମିଓ, ଅସଦାଚରଣ, ବ୍ଲାକମେଲିଂ, ଅପହରଣ ଓ ଫେକ୍ ଆକାଉଣ୍ଟ ଖୋଲି ମହିଳା ଓ ଯୁବତୀ ମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ବଢ଼ୁଥିବା ନେଇ କମିଶନରେଟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ।  ଏହି ଟିମର ନେତୃତ୍ୱ ଏସିପି ଅଞ୍ଜନା ଟୁଡୁ ନେଉଥିବା ବେଳେ, ମୋଟ ୧୪ ଜଣ ମହିଳା ପୁଲିସ ଅଫିସର ଏହି ଟିମର ମେମ୍ବର ରହିଛନ୍ତି । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ନମ୍ବର ହେଉଛି ୬୩୭୨୫୦୦୪୦୦ । ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ । ଯଦି କେହି କଣ୍ଟ୍ରୋଲ ରୁମକୁ ଫୋନ କରୁଛି, ଉକ୍ତ କଲକୁ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି । ଅଭିଯୋଗ ଆସିବା ମାତ୍ରେ ପୁଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି । ଖଟି, ମାର୍କେଟ, ପାର୍କରେ ସାଦା ପୋଷାକରେ ଏହି ମହିଳା ସ୍କ୍ୱାର୍ଡ ପଇଁନ୍ତରା ମାରୁଛନ୍ତି । ଆଗକୁ ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବ ବୋଲି ଡିସିପି ପ୍ରତୀକ୍ ସିଂହ କହିଛନ୍ତି ।