ଆଖଣ୍ଡଳମଣିଙ୍କ ଶ୍ରାବଣୀ ଯାତ୍ରା ପ୍ରସ୍ତୁତି

 ଭଦ୍ରକ : ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହରେ ବାବା ଆଖଣ୍ଡଳମଣି ମହାଦେବ ବିଜେ ଆରଡ଼ିଙ୍କର ଶ୍ରାବଣୀ ଯାତ୍ରା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲିପ ରାଉତରାୟଙ୍କ ଅଧକ୍ଷତା ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗ ଦେଇଥିଲେ । ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପ ଜିଲ୍ଲାପାଳ ସୌରଭ ଚକ୍ରଭର୍ତ୍ତି, ଜିଲ୍ଲାପରିଷଦ ସଭ୍ୟ ତଥା ବିଧାୟକଙ୍କ ପ୍ରତିନିଧି ପ୍ରିନ୍ସ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଉପସ୍ଥିତ ରହିଥିଲେ ।  ମହାଦେବଙ୍କ ପାଞ୍ଚ ପାଳି ଶ୍ରାବଣ ମାସିକ କାଉଡ଼ି ଯାତ୍ରାର ସୁବ୍ୟବସ୍ଥିତ ଆୟୋଜନ ନିମନ୍ତେ ଜିଲ୍ଲାପାଳ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଶ୍ରାବଣ ମାସ ପ୍ରତ୍ୟେକ ରବିବାର ଓ ସୋମବାର ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ମନ୍ଦିର  ନିକଟରେ ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ମନ୍ଦିର ଫେରନ୍ତା ଶ୍ରଦ୍ଧାଳୁଙ୍କ ସୁବିଧାଜନକ ପ୍ରତ୍ୟାଗମନ ନିମନ୍ତେ ଅଞ୍ଚଳ ପରିବହନ ଅଧିକାରୀ ଏବଂ ଓଏସଆରଟିସି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା । ଆରଡ଼ି ମନ୍ଦିରକୁ ସଂଯୋଗ କରୁଥିବା ମାର୍ଗସ୍ଥ ବିଦ୍ୟାଳୟ ଗୁଡ଼ିକ ରେ ରବିବାର ରାତିରେ ଶ୍ରଦ୍ଧାଳୁଙ୍କ ଆଶ୍ରୟ ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଦେ୍ର୍ଦଶ ଦିଆ ଯାଇଥିଲା । ଏହି ସଭାରେ ଉପସ୍ଥିତ ବରିଷ୍ଠ ସେବାୟତ ବିଜୟ କୁମାର ଦାଶ ମନ୍ଦିରର ନିତିକାନ୍ତି ବିଷୟରେ ସମସ୍ତଙ୍କୁ ଧାରଣା ପ୍ରଦାନ କରିଥିଲେ ।