ଆଜି ଅନାସ୍ଥା : ସଙ୍ଗୀତାଙ୍କ ଭାଗ୍ୟ ପରୀକ୍ଷା କରିବେ ୨୬ ପାରିଷଦ
ବ୍ୟାସନଗର: ଆସନ୍ତାକାଲି ବୁଧବାର ବ୍ୟାସନଗର ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଆସିଥିବା ଅନାସ୍ଥାର ସମ୍ମୁଖିନ ହେବେ । ପୈାର ନିର୍ବାଚନରେ ବ୍ୟାସନଗରବାସୀଙ୍କ ସମର୍ଥନରେ ଅଧ୍ୟକ୍ଷା ଆସନରେ ବସିଥିବା ସଙ୍ଗୀତା ପୈାରସଭାଗୃହରେ ଭାଗ୍ୟ ପରୀକ୍ଷା କରିବେ । ସଙ୍ଗୀତା ଗାଦିଚୁ୍ୟତ ହେବେ ନାଁ ରହିବେ, ତାର ଫଳ କ’ଣ ହେବ, ତାହା କହିବା କଷ୍ଟକର ବ୍ୟାପାର ହୋଇଥିଲେ ବି ୨୬ ପାରିଷଦଙ୍କ ମତଦାନ ଉପରେ ନିର୍ଭର କରୁଛି ପୈାରାଧ୍ୟକ୍ଷାଙ୍କ ଭାଗ୍ୟ । କିନ୍ତୁ ଅନାସ୍ଥାକୁ ନେଇ ବ୍ୟାସନଗର ପୈାର ରାଜନୀତି ଗଲା ଦୁଇସପ୍ତାହେ ହେଲା ସରଗରମ ହୋଇରହିଛି । ପୌରାଧ୍ୟକ୍ଷା ଗାଦି ସୁରକ୍ଷିତ ରଖିବାକୁ ମନପ୍ରାଣ ଦେଇ ଲାଗିପଡ଼ିଥିବା ବେଳେ ପରୋକ୍ଷରେ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ନେତୃତ୍ୱଙ୍କ ସମର୍ଥନ ହାସଲ କରିପାରିଥିବା ଆଲୋଚନା ହେଉଛି । ପୌରାଧ୍ୟକ୍ଷା ୯ଜଣ ପାରିଷଦଙ୍କୁ ନିଜ ପକ୍ଷରେ ରଖିବାକୁ ଶେଷ ମୁହୂର୍ତ ପର୍ଯ୍ୟନ୍ତ ଉଦ୍ୟମ ଜାରୀ ରଖିଥିବା ବେଳେ ଅନାସ୍ଥା ସପକ୍ଷରେ ଥିବା ପାରିଷଦ ମେଳି ବାନ୍ଧିବା ସହ ନିଜର ସଂଖ୍ୟାକୁ ବଢାଇବାକୁ ମଧ୍ୟ କସରତ କରି ଚାଲିଛନ୍ତି । ସଂଖ୍ୟା ହିଁ ଅନାସ୍ଥା ସଫଳ ଏବଂ ବିଫଳ ପଛର କାରଣ ହେବାକୁ ଯାଉଥିବାରୁ ଉଭୟ ପକ୍ଷ ନିଜର ଗୋଟି ଚଲାଇବାରେ ଲାଗିଛନ୍ତି । ତେବେ ପୈାରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ କରିଥିବା ୧୧ପାରିଷଦ ମଧ୍ୟରୁ କେତେକ ସଙ୍ଗୀତାଙ୍କ କାମ୍ପରେ ସାମିଲ ହୋଇଥିବାରୁ ଏହା ପ୍ରତିପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି । ଅଧ୍ୟକ୍ଷା ଏବଂ ପାରିଷଦଙ୍କ ମଧ୍ୟରେ ଅନାସ୍ଥା ଲଢେଇ ଚାଲିଥିବା କୁହାଯାଉଥିଲେ ହେଁ ପଛଦ୍ୱାରରେ ରାଜନୈତିକ ଦଳ ଭିତରେ ଲଢେଇ ଚାଲିଛି ବୋଲି ଆଲୋଚନା ଚାଲିଛି । ଆସନ୍ତାକାଲିର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଫଳାଫଳ ହିଁ ପରବର୍ତି ସମୟରେ ରାଜନୈତିକ ବିଷ୍ପୋରଣ ଘଟିବାର ଆକଳନ ରାଜନୈତିକ ମହଲରେ କରାଯାଉଛି । ସୂଚନା ଥାଉକି, ଅଧ୍ୟକ୍ଷାଙ୍କ ମନମାନି, ବିକାଶରେ ବାଧକ, ପାରିଷଦଙ୍କୁ ବିଶ୍ୱାସକୁ ନନେବା ଏବଂ ସର୍ବୋପରି କାଉନସିଲ ବୈଠକରେ ପାରିତ ପ୍ରସ୍ତାବକୁ ଖାତିର ନକରିବା ଭଳି ଅଭିଯୋଗ ଆଣି ଉପନଗରପାଳ ସୁବାସ ବଳଙ୍କ ନେତୃତ୍ୱରେ ବିଜେଡ଼ି ପାରିଷଦ ସର୍ବଶ୍ରୀ ପାର୍ଥସାରଥୀ ନାୟକ, ବିଜୟ କୁମାର ଜେନା, ମୋନାଲିସା ସାହୁ, ସରିତା ଜେନା, ମଣିନ୍ଦ୍ର ସାହୁ, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ଉର୍ମିଳା ପରିଡ଼ା, ରଶ୍ମିତା ଖୁଂଟିଆ, ଅଶୋକ କୁମାର ରାଉତ୍, ସରୋଜୀନୀ ସେଠୀ ପ୍ରମୂଖ ଗଲାମାସ ୬ତାରିଖରେ ସଙ୍ଗୀତାଙ୍କ ବିରୁଦ୍ଧରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡୀଙ୍କ ନିକଟରେ ଅନାସ୍ଥା ଆଗତ କରିଥିଲେ । ପ୍ରକାଶ ଯୋଗ୍ୟ ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ପୈାରପାଳିକାରେ ବିଜେଡ଼ିରୁ ୧୫ ବିଜେପିରୁ ୩, କଂଗ୍ରେସରୁ ୫ ଓ ୩ ଜଣ ସ୍ୱାଧୀନ ପାରିଷଦ ବିଜୟୀ ହୋଇଥିଲେ । ତେବେ ପରବର୍ତି ସମୟରେ ୩ ସ୍ୱାଧୀନ ପାରିଷଦ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଗଲା ସାଧାରଣ ନିର୍ବାଚନ ସମୟରେ ବିଜେପିର ୩ ପାରିଷଦ ମଧ୍ୟରୁ ଦୁଇଜଣ ବିଜେଡିରେ ଯୋଗ ଦେଇଥିଲେ ।