ହକି ଇଣ୍ଡିଆ ଲିଗ୍: ବେଙ୍ଗଲ୍ ଟାଇଗର୍ସ ବିଜୟୀ
ରାଉରକେଲା/ଭୁବନେଶ୍ୱର: ୭ ବର୍ଷ ପରେ ଫେରିଥିବା ‘ହକି ଇଣ୍ଡିଆ ଲିଗ୍’ର ଷଷ୍ଠ ସଂସ୍କରଣରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ବିଜେତା ହୋଇଛି । ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଆୟୋଜିତ ଏହି ୮ ଦଳୀୟ ପେସାଦାର ହକି ଲିଗ୍ର ଘଡିକୁୁ ଘଡି ମୋଡ ବଦଳାଉଥିବା ଏବଂ ଜବରଦସ୍ତ ଲଢ଼େଇ ଭରା ଫାଇନାଲ୍ରେ ଶନିବାର ବେଙ୍ଗଲ ଟାଇଗର୍ସ ୪-୩ ଗୋଲ୍ରେ ହାଇଦ୍ରାବାଦ ତୁଫାନ୍ସକୁ ହରାଇ ଟ୍ରଫି ସହ ୩ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଜିତିଛି । ତୁଫାନ୍ସ ପ୍ରଥମ ତିନି କ୍ୱାର୍ଟରରେ ତୁଫାନି ହକି ଖେଳି ଟାଇଗର୍ସକୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଶେଷ କ୍ୱାର୍ଟରରେ ମ୍ୟାଚ୍ ହାତଛଡା କରିଛି । ଫଳରେ ରନର୍ ଅପ୍ ଟ୍ରଫି ସହ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାରରେ ସନ୍ତୁଷ୍ଟ ରହିଛି । ତୃତୀୟ ସ୍ଥାନରେ ରହିଥିବା ସୁର୍ମା ହକି କ୍ଲବ୍ କାଂସ୍ୟ ପଦକ ସହ ୧ କୋଟି ଟଙ୍କା ପାଇଛି । ଆରମ୍ଭରୁ ଦୁଇ ଦଳ ପରସ୍ପରକୁ କଡା ଟକ୍କର ଦେଇଥିଲେ । ୮ ମିନିଟ୍ର ଗତିରୋଧ ପରେ ନବମ ମିନିଟ୍ରେ ଗଞ୍ଜାଲୋ ପେଲେଟ୍ ପ୍ରଥମ ଗୋଲ୍ ଦେବା ପରେ ଉଭୟ ଦଳ ଫାଷ୍ଟ୍ ହକିର ବଳିଷ୍ଠ ନମୂନା ଦେଖାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ତେବେ ବେଙ୍ଗଲ ଟାଇଗର୍ସର ଯୁଗରାଜ ସିଂହ ଦୁଇ ଦଳ ମଧ୍ୟରେ ପ୍ରମୁଖ ଫରକ ପାଲଟିଥିଲେ । ବ୍ୟକ୍ତିଗତ ଭାବେ ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ କରିବାର ଅଭୁଲା ସଫଳତା ପାଇବା ସହ ପୂରା ଋତୁରେ ଭଲ କରି ଟାଇଗର୍ସର ଟ୍ରଫି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ଅନ୍ୟପକ୍ଷରେ ତୁଫାନ୍ସ ଲଢ଼ୁଆ ହକି ଖେଳିଥିଲେ ମଧ୍ୟ ଗଞ୍ଜାଲୋଙ୍କ ଦ୍ୱିତୀୟ ଗୋଲ୍ ଓ ଓଡିଆ ପୁଅ ଅମନଦୀପ ଲାକ୍ରାଙ୍କ ପ୍ରଥମ ଗୋଲ୍ ବଳରେ ସ୍ଥିତି ସମାନ ସ୍ଥରକୁ ଆଣିଥିଲେ । ୫୬ ମିନିଟ୍ରେ ଟାଇଗର୍ସର ଗୋଲ୍ରକ୍ଷକ ଜାମି କାର୍ ଗଞ୍ଜାଲୋଙ୍କ ଏକ ଲକ୍ଷ୍ୟଭେଦୀ ପେନାଲ୍ଟି ସଟ୍କୁ ନିଷ୍ଫଳ କରିବା ମ୍ୟାଚ୍ରେ ଟର୍ଣ୍ଣିଂ ପଏଣ୍ଟ୍ ଥିଲା । ପୁରସ୍କାର ବିତରଣୀ ଉସôବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ । କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସଂପାଦକ ଭୋଳାନାଥ ସିଂହ, କ୍ରୀଡା ସଚିବ ଭାସ୍କରଜ୍ୟୋତି ଶର୍ମା, ଓଡ଼ିଶା ହକି ବିକାଶ ପରିଷଦର ସିଇଓ ଦୀପଙ୍କର ମହାପାତ୍ର, ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ ସଭାପତି କ୍ରିସ୍ ଜେନକିନ୍ସ, ମୁଖ୍ୟ କାର୍ଯ୍ୟନିର୍ବାହୀ କାଟି ସାଡଲେର, ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ, ଫ୍ରାଞ୍ଚାଇଜ ମାଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
