ଆଜିଠାରୁ କୃଷି ଓଡ଼ିଶା ମେଳା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଶୁକ୍ରବାରଠାରୁ ୩ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା, ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ‘କୃଷି ଓଡ଼ିଶା - ୨୦୨୫’ର ଆୟୋଜନ ହେବ । ଏହି ସମାରୋହକୁ ଦିନ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉଦ୍ବୋଧନ ଦେବେ । କୃଷି ଓଡ଼ିଶା-୨୦୨୫ର ବିଷୟବସ୍ତୁ ରହିଛି ‘ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ’ । ପ୍ରଥମଦିନର ବିଷୟବସ୍ତୁ ରହିବ ଜଳବାୟୁ ଉପଯୋଗୀ ଖାଦ୍ୟ ପଦ୍ଧତି ଓ ଜଳବାୟୁ ତ୍ୱରିତ ଉଦ୍ୟାନକୃଷି । ଦ୍ୱିତୀୟ ଦିବସ ମୃତ୍ତିକା ସ୍ୱାସ୍ଥ୍ୟ, ପ୍ରାକୃତିକ କୃଷି ଓ ଏହାର ମୂଲ୍ୟଶୃଙ୍ଖଳା ଏବଂ ତୃତୀୟ ଦିବସର ବିଷୟ ହେଉଛି ପାଣି ପଞ୍ଚାୟତ ପକ୍ଷ ପାଳନ ସହିତ ଧାରାବାହିକ ଜଳ ଶାସନ ନୀତି । ଓଡ଼ିଶାରେ ପୋଷଣଯୁକ୍ତ ଖାଦ୍ୟ ପଦ୍ଧତି ସହିତ ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବା ସହିତ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ । ସରକାରଙ୍କ ଦ୍ୱାରା ଆୟୋଜିତ ଏହି ୩ ଦିନର କାର୍ଯ୍ୟକ୍ରମ ରାଜ୍ୟର ଯୁବବର୍ଗଙ୍କୁ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମସô୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ପ୍ରୋସôାହିତ କରିବ ।