ଆତଙ୍କୀ ବିରୋଧରେ ବିଶ୍ୱର ସମର୍ଥନ ଲୋଡ଼ୁଛି ଭାରତ : କୁଏତ ଓ ଦୋହାରେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର : ଆତଙ୍କବାଦର ପ୍ରାୟୋଜକ ପାଲଟିଥିବା ପାକିସ୍ତାନର ମୁଖା ଖୋଲିବା ସହିତ ଭାରତର ଆତଙ୍କବାଦ ବିରୋଧୀ ଲଢେଇରେ ବିଶ୍ୱ ସମୁଦାୟର ସମର୍ଥନ ଜୁଟାଇବା ଉଦେ୍ଦଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ସମ୍ପ୍ରତି ବିଭିନ୍ନ ରାଷ୍ଟ୍ର ଗସ୍ତ କରୁଛନ୍ତି । ଏହିକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେଏକ ୮ ଜଣିଆ ପ୍ରତିନିଧି ଦଳ କୁଏତ ଗସ୍ତ କରିଛି । ଏହି ପ୍ରତିନିଧି ଦଳ ଆସନ୍ତାକାଲି ଠାରୁ ଦୁଇ ଦିନ କୁଏତରେ ରହି ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରେ ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଅପରେସନ ସିନ୍ଦୂର ସମ୍ପର୍କରେ କୁଏତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ । ଏହି ପ୍ରତିନିଧି ଦଳରେ ଲୋକସଭା ସାଂସଦ ନିଶିକାନ୍ତ ଦୂବେ, ରାଜ୍ୟସଭା ସାଂସଦ ଫାଙ୍ଗନନ କନ୍ୟାକ, ରାଜ୍ୟସଭା ସାଂସଦ ରେଖା ଶର୍ମା, ଲୋକସଭା ସାଂସଦ ଅସଦଉଦ୍ଦିନ ଓୱେସି, ରାଜ୍ୟସଭା ସାଂସଦ ସତନାମ ସିଂ ସାନ୍ଧୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ, ପୂର୍ବତନ ବିଦେଶ ସଚିବ ହର୍ଷ ଶ୍ରିଙ୍ଗଲା ପ୍ରମୁଖ ସାମିଲ ଅଛନ୍ତି ।
ଅପରପକ୍ଷେ ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱରେ ଆଉ ଏକ ଦଳ କାତାରର ରାଜଧାନୀ ଦୋହାରେ ପହଞ୍ଚôଛି । କାତାରର ଦୁଇଦିନିଆ ଗସ୍ତ ପରେ ପ୍ରତିନିଧିମଣ୍ଡଳୀ ଦକ୍ଷିଣ ଆଫ୍ରିକା, ଇଥିଓପିଆ ଓ ଇଜିପ୍ଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିନିଧିମଣ୍ଡଳୀରେ ସାଂସଦ ସୁପ୍ରିୟା ସୁଲେ, ସାଂସଦ ରାଜୀବ ପ୍ରତାପ ରୁଡି, ସାଂସଦ ବିକ୍ରମଜିତ ସିଂହ ସାହାଣି, ସାଂସଦ ମନୀଷ ତିୱାରୀ, ସାଂସଦ ଅନୁରାଗ ସିଂହ ଠାକୁର, ସାଂସଦ ଲାଭୁ ଶ୍ରୀକୃଷ୍ଣ ଦେବରାୟାଲୁ, ପୂର୍ବତନ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଆନନ୍ଦ ଶର୍ମା, ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏବଂ ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି ସୟଦ ଆକବରଉଦ୍ଦିନ ସାମିଲ ଅଛନ୍ତି ।