ଆଦିବାସୀ ଉନ୍ନୟନ ସଂସ୍ଥାରେ କର୍ମଚାରୀ ଅଭାବ
ଚମ୍ପୁଆ : ଚମ୍ପୁଆ ଉପଖଣ୍ଡ ଆଦିବାସୀଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇପଡିଛି ।
ଏହି ସଂସ୍ଥା ଅଧିନରେ ଯୋଡ଼ା, ଚମ୍ପୁଆ, ଝୁମ୍ପୁରା ଏବଂ ବିଜ୍ଞାପିତ ପରିଷଦ ପାଖାପାଖି ଅଞ୍ଚଳର ୭୦ ପ୍ରତିଶତ ଆଦିବାସୀ ବସବାସ କରୁଥିବା ବେଳେ, ଏମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି । ମାତ୍ର ଉକ୍ତ ବିଭାଗରେ କର୍ମଚାରୀ ଅଭାବ ଯୋଗୁଁ ଅନୁଦାନ ଅର୍ଥ ଖର୍ଚ୍ଚ ହେବାରେ ବିଳମ୍ବ ହେବା ସହିତ ଆଦିବାସୀଙ୍କ ବିକାଶ ଧାରା ବିଳମ୍ବିତ ହେଉଥିବା ନେଇ ଅଭିଯୋଗ ହେଉଛି ।ଏହି ବିଭାଗର ସହକାରୀ ଯନ୍ତ୍ରୀ ପଦବୀ ଏକ ବର୍ଷରୁ ଅଧିକ ହେବ ଖାଲି ପଡ଼ିଥିବା ବେଳେ ଦୁଇ ବର୍ଷରୁ ଅଧିକ ହେବ ମୁଖ୍ୟ କିରାଣୀ ପଦବୀ ମଧ୍ୟ ଖାଲି ପଡ଼ିଛି । ଠିକ ସେହିପରି ଦୁଇଜଣ ଯନ୍ତ୍ରୀ ବଦଳରେ ମାତ୍ର ଜଣେ ଏଠାରେ ରହିଥିବା ବେଳେ ବିଭିନ୍ନ ବ୍ଲକରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟରେ ବାଧା ଦେଖାଦେଇଛି । ଅନ୍ୟପକ୍ଷରେ ଏହି କାର୍ଯ୍ୟାଳୟରେ ଏକ କିରାଣୀ ପଦବୀ ସହ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଥିବାରୁ ବିଭାଗର ସ୍ଥାଣୁତା ନେଇ ଆଲୋଚନା ଜୋର ଧରିଛି । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ହୋଇଥିଲେ ହେଁ ଏପ୍ରକାର ଅବ୍ୟବସ୍ଥାକୁ ଦୁର କରିବାରେ ସରକାର ସ୍ୱତନ୍ତ୍ର ଭାବେ ଦୃଷ୍ଟ ଦେବାକୁ ସାଧାରଣରେ ଦାବି ହେଉଛି ।