ମୋଦିଙ୍କ ବଡ଼ ନିଷ୍ପତ୍ତି, ଏକାବେଳେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ
Narendra Modi
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଏକାବେଳେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ୨୦୨୩ ସେପ୍ଟେମ୍ବରରେ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ଗତ ମାର୍ଚ୍ଚରେ କମିଟି ୧୮୬୨୬ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କରିଥିଲେ । ୧୯୧ ଦିନ ଧରି ଅନୁଧ୍ୟାନ ଓ ଅଧ୍ୟୟନ କରିବା ପରେ କମିଟି ଏହି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ ।
ମୋଦିଙ୍କ ତୃତୀୟ ପାଳି ସରକାରରେ ହିଁ ‘ୱାନ ନେସନ, ୱାନ ଇଲେକ୍ସନ’ ଯୋଜନା କାର୍ଯ୍ୟକାରୀ ହେବ । ଅର୍ଥାତ୍ ଗୋଟିଏ ସମୟରେ ହିଁ ଦେଶରେ ସବୁ ରାଜ୍ୟର ବିଧାନସଭା ସହ ଲୋକସଭା ନିର୍ବାଚନ କରାଯିବ । ମୋଦିଙ୍କ ଏହି ନିଷ୍ପତ୍ତିକୁ ଏନଏଡ଼ିର ସବୁ ସହଯୋଗୀ ଦଳ ସମର୍ଥନ କରୁଛନ୍ତି । କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହାକୁ ସମର୍ଥନ କରୁନାହାନ୍ତି । ଏକକାଳୀନ ନିର୍ବାଚନ ହେଲେ ବିଜେପି ହିଁ ସବୁଠାରୁ ଅଧିକ ଫାଇଦାରେ ରହିବ । ମୋଦିଙ୍କ ଲୋକପ୍ରିୟତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କରେ ଦଳ ସରକାର ଗଢ଼ିପାରିବ ବୋଲି ବିରୋଧୀ ଅନୁମାନ କରୁଛନ୍ତି ।