ପୂର୍ତ୍ତ ବିଭାଗକୁ ଆସିବ ୯୦୦ କିମି ରାସ୍ତା : ଅନୁମୋଦନ ପାଇଁ ସରକାରଙ୍କୁ ପ୍ରସ୍ତାବ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକରେ ଥିବା ୯୦୦କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଅଧିନକୁ ଆସିବା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ଅଧିନରେ ଥିବା ଏହି ରାସ୍ତା ଗୁଡ଼ିକୁ ପୂର୍ତ୍ତ ବିଭାଗ (ଆରଏଣ୍ଡବି)କୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଥିବା ସୂଚନା ମିଳିଛି । ଜିଲ୍ଲାର ୧୦ଟି ବ୍ଲକର ୧୮୯ ପଞ୍ଚାୟତରେ ୫ ବର୍ଷ ପୂର୍ତ୍ତି ହୋଇସାରିଥିବା ପ୍ରଧାନମନ୍ତ୍ରୀ ରାସ୍ତା ଠାରୁ ଆରମ୍ଭ କରି ଆରଡି ଅଧିନରେ ରହିଥିବା ରାସ୍ତା ଗୁଡ଼ିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ । ପୂର୍ବରୁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ଅର୍ଥ କମିଶନ ସହ ମରେଗାରେ ରାସ୍ତା ଗୁଡ଼ିକର ୫ ବର୍ଷ ଧରି ରକ୍ଷଣାବେକ୍ଷଣ କରୁଥିଲେ । ସେହି ରାସ୍ତା ଗୁଡ଼ିକୁ ବ୍ଲକ ପ୍ରଶାସନ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ୩.୭୫ ମିଟର ପିଚୁ ରାସ୍ତା ସହ ଦୁଇ ପାର୍ଶ୍ୱରେ ବଳକା ୧ ମିଟର ଲେଖାଏଁ ୨ ମିଟର ମାଟି ପକାଇ ୫.୭୫ ମିଟର ରାସ୍ତା ନିର୍ମାଣ କରିଥିଲେ ।
କିଛି ରାସ୍ତା ପିଏମଜେଏସଇରେ ଅର୍ନ୍ତଭୁକ୍ତ ହୋଇଥିଲା । ବର୍ତ୍ତମାନ ଏସବୁ ରାସ୍ତା ପୂର୍ତ୍ତ ବିଭାଗ ନେବା ପରେ ରାସ୍ତା ଗୁଡିକର ଚଉଢ଼ା ୧୦.୭୫ ମିଟର ହେବ । ସେଥିରେ ୭ ମିଟର ଚଉଡ଼ାରେ ପିଚୁ ରାସ୍ତା, ୩ ମିଟର ଦୁଇ ପାର୍ଶ୍ୱରେ ମାଟି ପଡ଼ିବ । ପୂର୍ତ୍ତ ବିଭାଗ ଏହି ରାସ୍ତା ଗୁଡ଼ିକର ନିର୍ମାଣ ପାଇଁ ସର୍ଭେ କରି ଡିପିଆର ପ୍ରସ୍ତୁତି କରିଛି । ଏହି ଡିପିଆର ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇଥିବା ସୂଚନା ମଳିଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ କ୍ଷୀରଧର କନ୍ଧପାଣି, ଅରଡି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦେବର୍ଶୀ ନାୟକ, ବିଧାୟକ ଗୌରୀଶଙ୍କର ମାଝୀ ଯୋଗ ଦେଇଥିଲେ । ରାଇଘର ବ୍ଲକରେ ୧୧୦ କିମି, ଉମରକୋଟ ବ୍ଲକରେ ୧୦୦ କିମି, ଝରିଗାଁ ବ୍ଲକରେ ୮୦ କିମି, ଚନ୍ଦାହାଣ୍ଡି ବ୍ଲକରେ ୭୦ କିମି, ଡାବୁଗାଁ ବ୍ଲକରେ ୬୦ କିମି, ପାପଡ଼ାହାଣ୍ଡି ବ୍ଲକରେ ୧୧୦ କିମି, କୋଷାଗୁମୁଡ଼ା ବ୍ଲକରେ ୧୩୦ କିମି, ନବରଙ୍ଗପୁର ବ୍ଲକରେ ୧୧୦ କିମି, ତେନ୍ତୁଳିଖୁଣ୍ଟି ବ୍ଲକରେ ୯୦ କିମି ଓ ନନ୍ଦାହାଣ୍ଡି ବ୍ଲକରେ ୪୦ କିମି ଏଭଳି ସର୍ବମୋଟ ୯୦୦ କିଲୋମିଟର ରାସ୍ତା ରହିଛି । ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।