ଆଦିବାସୀ ମାନ୍ୟତା ପାଇଁ ଜନସମାବେଶ
ମାଲକାନଗିରି: ମାଲକାନଗିରି ବ୍ଲକ ଶହୀଦ୍ ନରସିଂ ଡମ୍ ସମାଜ ପକ୍ଷରୁ ଆଦିବାସୀ ମାନ୍ୟତା ନିମନ୍ତେ ମାଲକାନଗିରି ବ୍ଲକ ପଦ୍ମଗିରି ଧାନ ମଣ୍ଡି ଠାରେ ଏକ ବିରାଟ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ନୂତନ ବ୍ଲକ ସଭାପତି ଦେନିରାମ ନାଗୁଲ ଓ ବ୍ଲକ କମିଟି ପଦାଧିକାରୀଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା ନେତୃମଣ୍ଡଳୀଙ୍କ ସହ ହଜାର ହଜାର ଶହୀଦ୍ ନରସିଂ ଡମ୍ ସମାଜର ଜନ ସାଧାରଣ ଯୋଗ ଦେଇ ଏକ ବିରାଟ ପଟୁଆରରେ ଜାତିର ପାରମ୍ପରିକ ପୋଷାକ ଓ ବାଜା ବଜେଇ ନାଚି ଶୋଭାଯାତ୍ରା ମାଧ୍ୟମରେ ବାବା ସାହେବ ଡ଼.ଭୀମ୍ ରାଓ ଆମ୍ବେଦକର ଓ ସହୀଦ୍ ନର୍ସିଂ ଡମ୍ଙ୍କ ଜୟ ଗାନ କରି ଆଦିବାସୀ ମାନ୍ୟତା ନିମନ୍ତେ ପଦ୍ମଗିରି ଧାନ ମଣ୍ଡିରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚôଥିଲେ । ଆୟୋଜିତ ଏହି ସମାବେଶରେ ମୁଖ୍ୟଅତିଥି ଭାବରେ ବଳରାମ ଅନୁଗୁଳିଆ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜ ଉପସଭାପତି ଡମ୍ବରୁ ବାଘ ଓ ଅବିଭକ୍ତ କୋରାପୁଟ ଜିଲ୍ଲା ଡମ୍ ସମାଜ ଯୁଗ୍ମ ସମ୍ପାଦକ କଣ୍ଟେଶ୍ୱର ପୋଟଲା ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ଶହୀଦ୍ ନରସିଂ ଡମ୍ ସମାଜର ଦୁଇ ବରିଷ୍ଠ ଉପଦେଷ୍ଟା ତଥା ମୁଖ୍ୟବକ୍ତା ସନ୍ତୋଷ କୁମାର ଏବଂ ରାଜେନ୍ଦ୍ର କୂଳଦୀପ ଯୋଗ ଦେଇ ଉପସ୍ଥିତ ଶହୀଦ୍ ନରସିଂ ଡମ୍ ସମାଜର ସମସ୍ତ ଜନ ସାଧାରଣଙ୍କୁ ଡମ୍ ଜାତି ଓ ଡମ୍ମାନଙ୍କ ଅଧିକାର ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହ ଜାତିର ସାମ୍ବିଧାନିକ ଅଧିକାର ନିମନ୍ତେ ୬ ଦଫା ଦାବି ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ସେଗୁଡିକ ମଧ୍ୟରେ ଡମ୍ମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଉ, ଜିଲ୍ଲାର ୭ ଗୋଟି ବ୍ଲକ, ଗୋଟିଏ ମୁ୍ୟନିସିପାଲଟି, ଗୋଟିଏ ଏନ୍ଏସିରେ ବସବାସ କରୁଥିବା ଭୂମିହୀନମାନଙ୍କୁ ଓଡିଶା ଭୁସଂସ୍କାର ଆଇନ ଅନୁଯାୟୀ ସ୍ଥାୟୀ ଭାବରେ ଥଇଥାନ କରାଯାଉ, ୨୦୦୬ ଜଙ୍ଗଲ ଜମି ଆଇନ ଅନୁଯାୟୀ ମୂଳନୀବାସୀ ଡମ୍ମାନଙ୍କୁ ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ଅଧିକାର ନିମନ୍ତେ ପଟ୍ଟା ପ୍ରଦାନ କରାଯାଉ ଆଦି ଉଲ୍ଲେଖ ରହିଛି । ଏହି ସମାବେଶରେ ନରସିଂ ଡମ୍ ସମାଜର ବରିଷ୍ଠ କର୍ମକର୍ତ୍ତା ପର୍ଶୁରାମ ଭକ୍ତ, ମଦନ ଖସଲା, ତୁଳସିରାମ ଦଳେଇ, ଡନେଲ ପୋଟଲା, ନାଟଗୁରୁ ଧନୁର୍ଜୟ ହନ୍ତାଳ ସର୍ବ ବିଶୋଇ, ଶିବ ଖରା, ବିଜୟ ପୁସୁରୁ, ମଙ୍ଗଳା ପାଙ୍ଗି, ବସନ୍ତ ନାୟକ ପ୍ରମୁଖଙ୍କ ସହ ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ସଭାପତି ଏବଂ ୫ ହାଜରରୁ ଊର୍ଦ୍ଧ୍ୱ ଜନ ସାଧାରଣ ଉପସ୍ଥିତ ଥିଲେ ।