ଆଦିବାସୀଙ୍କୁ ଥଇଥାନ ପରେ ବିସ୍ଥାପନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଯାଜପୁର: ରେଳ ଓଭର ବ୍ରିଜ୍ ନିମନ୍ତେ ବିସ୍ଥାପିତ ହେବାକୁ ଥିବା ଆଦିବାସୀ ପରିବାରଙ୍କୁ ଆଗ ଥଇଥାନ ଦାବି କରାଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧାରଣାରେ ବସିଥିଲେ ଆଦିବାସୀ ପରିବାର । ମୁଳନିବାସୀ ୟୁନାଇଟେଡ଼୍ ଫୋରମ୍ ବ୍ୟାନର ତଳେ ବ୍ୟାସନଗର ପୈାରପରିଷଦ ଚୁନଭାଟି ପ୍ଲଟର ଆଦିବାସୀ ସମୂହର କର୍ମକର୍ତ୍ତା ନିର୍ମାଣଧିନ ରେଳ ପ୍ରକଳ୍ପର ବିସ୍ଥାପନ କରାନଯାଇ ଉଚ୍ଛେଦ ନୋଟିସକୁ ପ୍ରତିବାଦ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା । ଆଦିବାସୀ କହିଥିଲେ କି ସେମାନେ ପ୍ରାୟ ୬୦ବର୍ଷଧରି ଝାଟି ଜଙ୍ଗଲ ଓ ଅନାବାଦୀ ପ୍ଲଟ ଥିବା ସମୟରୁ ସ୍ଥାୟୀ ଭାବେ ରହି ଆସୁଛନ୍ତି । ସେମାନଙ୍କ ଗ୍ରାମକୁ ସରକାର ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର, ପାନୀୟ ଜଳ, ବିଦୁ୍ୟତ୍, ରାସ୍ତା ଦେବା ସହ ଜନଗଣନା ଓ ଘର ଗଣନା ଠାରୁ ଭୋଟ ପର୍ଯ୍ୟନ୍ତ ନେଇଛନ୍ତି । ମାତ୍ର ପ୍ରତି ଥର ପ୍ରଶାସନକୁ ସେମାନେ ଜମିପଟା ପାଇଁ ଦାବି କରୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପୌରପାଳିକାର କର୍ତ୍ତୃପକ୍ଷଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ସମୟରେ ପ୍ରତାପ ଦାସ, ସହଦେବ ଜେନା, ମନୋରଞ୍ଜନ ଜେନା, ଦେବଦତ ଜେନା, ସୁରେନ୍ଦ୍ର ମଲ୍ଲିକ, ଜିତେନ୍ଦ୍ର କୁମାର ଦାସ, କାର୍ତିକ ମଲ୍ଲିକ, ଆଦିବାସୀ ନେତା ମାଣିକ ଗାଗରାଇ, ରାଇକୁରୀ ନିଗୁଆ, ବଲମା ଲାଗୁରୀ, ଅଜୁ ମଲ୍ଲିକ, ଦିଲ୍ଲୀପ ପିଙ୍ଗୁଆ, କାଟର୍ଣ୍ଣା ଟୁଡ଼ୁ, ବଲବଲ ସିଂହ, ରାମା ସାମଡ଼େ, ଜଗା ହେମ୍ବ୍ରମ୍, କାନ୍ଦ୍ରା କିସ୍କୁ, ମାୟାଧର ଗାଗରାଇ, ବିରେନ୍ଦ୍ର ସୁରୀ, ଦାତୁ ପିଙ୍ଗୁଆ ପ୍ରମୁଖ ଧାରଣାରେ ବସିଥିଲେ ।