ଆନ୍ଧ୍ରରେ ଉଡ଼ାଇବ, ଓଡ଼ିଶାରେ ବୁଡ଼ାଇବ : ଓଡ଼ିଶାକୁ ରେଡ ଆଲର୍ଟ

ଆନ୍ଧ୍ରରେ ଉଡ଼ାଇବ, ଓଡ଼ିଶାରେ ବୁଡ଼ାଇବ :  ଓଡ଼ିଶାକୁ ରେଡ ଆଲର୍ଟ
  •  ୯ ଜିଲ୍ଲାରେ ଛୁଟି ବାତିଲ୍‌
  • କୋରାପୁଟରେ ବର୍ଷା ଆରମ୍ଭ
  • ଦକ୍ଷିଣରେ ପ୍ରବଳ ଛେଚିବ
  • ୨୮ ଓ ୨୯ରେ ସାରା ଓଡ଼ିଶାରେ ବର୍ଷା
  • ୨୮ ଓ ୨୯ରେ ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
  • ୨୮ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ
  • ୨ ଦିନ ଅଙ୍ଗନୱାଡି କେନ୍ଦ୍ର ବନ୍ଦ
     

ଭୁବନେଶ୍ୱର : ଦଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଗତ ୬ ଘଣ୍ଟାଧରି ଘଣ୍ଟାପ୍ରତି ୧୦କିମି ବେଗରେ ଗତିକରୁଛି ଅବପାତ । ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା । ବର୍ତ୍ତମାନ ଗଭୀର ଅବପାତଟି ଗୋପାଳପୁରଠାରୁ ୯୫୦କିମି ଓ କାକିନାଡ଼ାଠାରୁ ୮୪୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ବାତ୍ୟା ମୋନ୍ଥା । ୨୮ ତାରିଖ ସକାଳ ବେଳକୁ ଭୀଷଣ ରୂପରେ ପରିଣତ ହେବ । ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଏହା ଆନ୍ଧ୍ର ଉପକୂଳର କାକିନାଡ଼ାର ମଚ୍ଛିଲିପଟ୍ଟନମ୍‌-କଳିଙ୍ଗପଟ୍ଟନମ୍‌ ଭିତରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ୍‌ ବେଳେ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ । ଝଟକା ପବନ ଘଣ୍ଟା ପ୍ରତି ୧୧୦ କିଲୋମିଟର ଛୁଇଁପାରେ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 

       ତେବେ ଆଜି ସନ୍ଧ୍ୟାରେ ହଠାତ ବଦଳିବାରେ ଆରମ୍ଭ କରିଛି ପାଗର ମିଜାଜ । କୋରାପୁଟର ସୀମାନ୍ତ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ବର୍ଷା । ନାରାୟଣାପାଟଣା ଓ ବନ୍ଧୁଗାଁ ବ୍ଲକରେ ବର୍ଷା ହୋଇଛି । ସେହିପରି ଆସନ୍ତାକାଲି ଠୁ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହେବ । ବାତ୍ୟାରେ ଦକ୍ଷିଣ ଓଡିଶା ବେଶୀ ପ୍ରଭାବିତ ହେବ । ଦକ୍ଷିଣ ଓଡିଶାରେ ୮୦ କିମି ପର୍ଯ୍ୟନ୍ତ ପବନ ବୋହିବ । ୨୭ ସନ୍ଧ୍ୟାରୁ ୪୫ରୁ ୫୫ କିମି ବେଗରେ ପବନ ବୋହିବ । ୨୮ ତାରିଖ ବେଳକୁ ପବନ ବେଗ ୬୦ରୁ ୭୦ କିମିକୁ ବଢିବ । ବେଳେ ବେଳେ ପବନର ବେଗ ୮୦ କିମି ଛୁଇଁବ । ୨୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ରହିବ । ଉତ୍ତର ଓଡିଶା ଉପକୂଳରେ ମଧ୍ୟ ୨୮ ଓ ୨୯ରେ ପବନ ବୋହିବ । ଏନେଇ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏନେଇ ୨୮ ଓ ୨୯ ତାରିଖ ପାଇଁ ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ୨୮ ଓ ୨୯ ଦୁଇଦିନ ରାଜ୍ୟରେ ଅତି ଭୀଷଣ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।  ବାତ୍ୟାକୁ ଦୃଷ୍ଟିରେ ରଖି ୮ ଜିଲ୍ଲାରେ ୨୮ ଓ ୨୯ ତାରିଖ ଅଙ୍ଗନୱାଡି କେନ୍ଦ୍ର ଛୁଟି କରାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

   ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ପ୍ରଶାସନ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୯ ଜିଲ୍ଲାରେ ସରକାରୀ ଛୁଟି ବାତିଲ୍‌ କରାଯାଇଛି । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଛୁଟି ବାତିଲ କରାଯାଇଛି । ସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ବାଲେଶ୍ୱରରେ ଛୁଟି ବାତିଲ୍‌ କରିଛନ୍ତି ଜିଲ୍ଲାପାଳ । ସେହିଭଳି ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ ହୋଇଥିବା ବେଳେ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରାପଡାରେ ୨୬ରୁ ୩୦, ମାଲକାନଗିରି ଓ କୋରାପୁଟରେ ୨୭ରୁ ୩୦ ଏବଂ କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବି ସରକାରୀ ଛୁଟି ବାତିଲ୍‌ କରାଯାଇଛି । ଛୁଟିରେ ଥିବା ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।