ସେଚାଞ୍ଚଳ ବିକାଶ ପାଇଁ ୬କୋଟି ମଞ୍ଜୁରୀ

 କଟକ : ରାଜ୍ୟ ଜଳସେଚନ ବିଭାଗ ଅଧୀନରେ ରହିଥିବା ସେଚାଞ୍ଚଳ ଉନ୍ନୟନ ବିଭାଗ ପକ୍ଷରୁ କଟକ ଜିଲ୍ଲାର ୪ଟି ବ୍ଲକରେ ୧୭କିଲୋମିଟର ବ୍ୟାପୀ କାଡ଼ା ନାଳ ନିର୍ମାଣ କରାଯିବ । ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ସରକାର ଏହି ବିଭାଗକୁ ୬କୋଟି ୧୨ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ବର୍ଷ ଶେଷ ସୁଦ୍ଧା ନାଳ ନିର୍ମାଣ କାର୍ଯ୍ୟର ଶେଷ ହେବାର ଯୋଜନା ରହିଛି । ଯାହାଫଳରେ ଜିଲ୍ଲାରେ ରହିଥିବା ମୁଖ୍ୟ ଓ ଶାଖା କେନାଲରୁ ବାହାରିଥିବା ଏହି ନାଳ ମାଧ୍ୟମରେ ଜିଲ୍ଲାର ଅଧିକ ୮୦୦ହେକ୍ଟର ଚାଷଜମିକୁ ଉଭୟ ଖରିଫ ଓ ରବି ଋତୁରେ ପାଣି ମଡ଼ାଯାଇ ପାରିବ । ସୂଚନାଯୋଗ୍ୟ ଯେ, ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର କାଡ଼ା (କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି)କୁ ୧୯୦.୪୯ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଏହାଦ୍ୱାରା ୪୩ଟି ପ୍ରକଳ୍ପ ମାଧ୍ୟମରେ ଆଠଗଡ଼, ନରସିଂହପୁର ଓ ବାଙ୍କୀ ଅଂଚଳରେ ୨୪୯ ହେକ୍ଟର ଚାଷଜମିରେ ପାଣି ମଡ଼ାଯାଇ ପାରୁଛି । ପ୍ରସ୍ତାବିତ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସାଲେପୁର, ମାହାଙ୍ଗା, ନରସିଂହପୁର ଓ ନିଶ୍ଚିତକୋଇଲି ଅଂଚଳର ଚାଷୀମାନଙ୍କ ୮୦୦ହେକ୍ଟର ଚାଷଜମିକୁ ପାଣି ଯୋଗାଇ ଦିଆଯାଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।