ଆନ୍ଧ୍ରରେ ଦାଦନ ଶ୍ରମିକଙ୍କ ମୃତୁ୍ୟ : ଶବ ଫେରାଇ ଆଣିବାକୁ ନିବେଦନ
ରାଜନଗର : ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ଦାରୁଓରା ଗ୍ରାମର କୀର୍ତ୍ତନ ମଳିକ(୪୨) । ଆନ୍ଧ୍ରପ୍ରଦେଶର ନିଲୋରରେ ଦାଦନ ଶ୍ରମିକ ଭାବେ ରଡ ବାଇଡିଂ କାମ କରୁଥିଲେ । ନିଲୋରର ରେଳ ଲାଇନ କଡରୁ ତାଙ୍କ ଶବ ମିଳିଛି । ୧୩ଦିନ ତଳେ କୀର୍ତ୍ତନ ଘରୁ ନିଲୋର ଯାଇଥିଲେ । ତାଙ୍କ ସହିତ ରହୁଥିବା ଦୂର ସଂପର୍କୀୟ ଲୋକଙ୍କୁ ୨୧ତାରିଖ ବୁଧବାର ସନ୍ଧ୍ୟାରେ ରାସନ ସାମଗ୍ରୀ ଆଣିବାକୁ ଯାଉଛି ବୋଲି କହିଥିଲେ । ଦୀର୍ଘ ସମୟ ଧରି ବସାକୁ ନଫେରିବାରୁ ସେମାନେ ଖୋଜାଖୋଜି କରୁଥିଲେ । ସ୍ଥାନୀୟ ପୋଲିସ ସହ ଘରକୁ ବି ଜଣାଇଥିଲେ । ଗୁରୁବାର ଦିନ ରେଳ ଲାଇନ କଡରୁ ସ୍ଥାନୀୟ ପୋଲିସ କୀର୍ତ୍ତନର ଶବକୁ ନେଉଥିବା ଦେଖିବାକୁ ପାଇଥିଲେ । ଘରକୁ ଜଣାଇବା ପରେ କାନ୍ଦବୋବାଳି ଲାଗି ରହିଛି । ଘରେ ତାଙ୍କ ସ୍ତ୍ରୀ ସହିତ ୧୨ବର୍ଷର ବଡଝିଅ, ସାତବର୍ଷର ପୁଅ ଓ ଚାରି ବର୍ଷର ଝିଅ ରହିଛନ୍ତି । ସ୍ୱାମୀର ମୃତୁ୍ୟ ଖବର ପାଇ ସ୍ତ୍ରୀ ଡଲି ଦୁଃଖରେ ଭାଙ୍ଗି ପଡିଛନ୍ତି । କୀର୍ତ୍ତନ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତାଙ୍କ ରୋଜଗାର ଉପରେ ପରିବାର ଚଳୁଥିଲା । କେମିତି ନିଜର ପରିବାରକୁ ପ୍ରତିପୋଷଣ କରିବେ ସ୍ୱାମୀଙ୍କ ଶବ କିପରି ଆନ୍ଧ୍ରରୁ ଗାଁକୁ ଫେରିବ ସେହି ଚିନ୍ତାରେ ସେ ଘାରି ହେଉଛନ୍ତି । ସ୍ୱାମୀଙ୍କ ଶବ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ।