ଶ୍ରୀମନ୍ଦିରରେ ବିଦୁ୍ୟତ ଉପକରଣର ହେବ ନବୀକରଣ

 ପୁରୀ :  ଶ୍ରୀମନ୍ଦିରରେ ଲାଗିଥିବା ସମସ୍ତ ବିଦୁ୍ୟତ ଉପକରଣ ନବୀକରଣ କରାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ପ୍ରଶାସକ ଉନ୍ନୟନ ଓ ନୀତି ପ୍ରଶାସକଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଅଏଲ ଇଣ୍ଡିଆ କମ୍ପାନୀର ଅଧିକାରୀମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ଦୁଇକୋଟି ବାଇଶ ଲକ୍ଷ ଟଙ୍କା ବ୍ୟୟରେ ଏହି ନବୀକରଣ କାର୍ୟ୍ୟ କରାଯିବ । ଅଏଲ ଇଣ୍ଡିଆ ଲିମିଟେଡ଼ ସମସ୍ତ ଅର୍ଥ ବ୍ୟୟ କରିବ । ଏହି କାର୍ୟ୍ୟର ରୂପରେଖ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଏକ ଏମ୍ଓୟୁ କମ୍ପାନୀ ସ୍ୱାକ୍ଷର କରିଛି । ଶ୍ରୀମନ୍ଦିରରେ ସୁରକ୍ଷା ଓ ନିରାପତ୍ତା ପାଇଁ  ଏହି କାର୍ୟ୍ୟ ଏକାନ୍ତ ଜରୁରୀ ବୋଲି ଅଏଲ ଇଣ୍ଡିଆ ଅଧିକାରୀ ପ୍ରକାଶ କରିଛନ୍ତି । 
ଶ୍ରୀମନ୍ଦିର ଭଳି ଲକ୍ଷଲକ୍ଷ ପର୍ୟ୍ୟଟକ ଆସୁଥିବା ସ୍ଥାନରେ ବିଦୁ୍ୟତ ସରଂଞ୍ଜାମ ବହୁ ପୂରାତନ ହୋଇଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ହୃଦୟଙ୍ଗମ କରିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ବିଭିନ୍ନ ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ତେଣୁ ଏହି କାର୍ୟ୍ୟ ଯଥାଶୀଘ୍ର ହେବା ଆବଶ୍ୟକ । କମ୍ପାନୀ ପକ୍ଷରୁ ଖୁବ୍ଶୀଘ୍ର ଏଥିପାଇଁ ଟେଣ୍ଡର ଡ଼କାଯିବ ।