ଆବାସ ଯୋଜନାରେ ପାତରଅନ୍ତର ଅଭିଯୋଗ


ଧାମନଗରରୁ କୈଳାଶ ଗୁପ୍ତା:  ସରକାର ଗରିବ ତଥା ଭୂମିହୀନ ଲୋକଙ୍କୁ ଥଇଥାନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ସୁଯୋଗ ଦିଆଯାଉଥିବା ବେଳେ ତଳ ଶ୍ରେଣୀର ଅଧିକାରୀ ଓ ଲୋକ ପ୍ରତିନିଧି ମାନେ ସଲାସୁତରା ଓ ନିଜ  ନିଜ ଭିତରେ ତଥା ବିଭିନ୍ନ ଦଳର କର୍ମୀ ମାନେ ବସି ସିଦ୍ଧାନ୍ତ କରି ଯାହାର ପକା ଘର ଅଛି ତଥା ଥିଲାବାଲାଙ୍କୁ ଆବାସ ଘର ଦିଆ ଯାଉଛି ଅଥଚ ଯାହାର ଚାଳିଆ ଘର ତାଙ୍କୁ ଘରମିଳୁନି । ଏଭଳି ବ୍ୟାପକ ଅନିୟମିତତା ଆସିଛି ଭଦ୍ରକ ଜିଲ୍ଲା  ଧାମନଗର ବ୍ଲକରୁ । ସୂଚନା ଥାଉକି ୨୦୨୨-୨୩ ବର୍ଷରେ ଧାମନଗର ବ୍ଲକ ପାଇଁ ମଞ୍ଜୁରୀ ହୋଇଥିବା ଘର ଗୁଡ଼ିକୁ ପର୍ଯ୍ୟାୟକ୍ରମେ ବଣ୍ଟା ଯାଉଥିବାବେଳେ ଏପରି ଅନିୟମିତତା ଦେଖିବାକୁ ମିଳିଛି । ପୂର୍ବରୁ ୨ ପର୍ଯ୍ୟାୟ ରେ ଘର ଦିଆଯାଇଛି । ତୃତୀୟ ପର୍ଯ୍ୟାୟରେ ଘର ଦେବା ବେଳକୁ ରାଜ୍ୟରେ ସରକାର ବଦଳିଗଲା । ଏହି ତୃତୀୟ ପର୍ଯ୍ୟାୟରେ ଧାମନଗର ବ୍ଲକର ୩୧ ପଞ୍ଚାୟତ ମଧ୍ୟରୁ ୨୧ ଟି ପଞ୍ଚାୟତର ୭୨୦ ଜଣଙ୍କୁ ଘର ଦେବାକୁ ସ୍ଥିର ହୋଇଛି । ଏଥିଲାଗି ବ୍ଲକ ପକ୍ଷରୁ ସାନି ତଦନ୍ତ ଓ ହିତାଧିକାରୀ ଯାଞ୍ଚ କରାଯାଇଛି । ହେଲେ ଏହି ଯାଞ୍ଚକୁ ସଲାସୁତୁରାରେ ସମାପନ କରିଦେଇଛନ୍ତି । ନିଜନିଜ ପଞ୍ଚାୟତରେ ନେତୃତ୍ୱ ନେଉଥିବା ନେତା ପରସ୍ପର ମଧ୍ୟରେ ଆପୋଷ ବୁଝାମଣା କରିଥିବା କୁହାଯାଉଛି । କେଉଁ କେଉଁ ଲୋକଙ୍କୁ ଘର ଦିଆଯିବ, ସେନେଇ ରାଜନେତାମାନେ ଏକ  ଗୁପ୍ତ ବୈଠକ କରି ସ୍ଥିର କରିଛନ୍ତି । ପଞ୍ଚାୟତ ସ୍ତରୀୟ ତାଲିକା ତିଆରି କରିଛନ୍ତି । ସେହି ତାଲିକାକୁ ଯାଞ୍ଚ ପାଇଁ ଯାଇ ଫଟୋ ଉଠାଉଥିବା ସରକାରୀ କର୍ମଚାରୀଙ୍କୁ ଦିଆଯାଇଛି । ସେହିମାନେ ତାଲିକା ଚୂଡ଼ାନ୍ତ କରିଛନ୍ତି । ଚୂଡ଼ାନ୍ତ ହୋଇଥିବା ଏହି ତାଲିକାରେ ଶାସକ ଦଳର କର୍ମୀମାନେ ଅଗ୍ରାଧିକାର ପାଇଥିବା ଲୋକେ ଅଭିଯୋଗ କରିଛନ୍ତି । କୋଠା ଘର ଥିବା ଲୋକ, ଅଟୋ ମାଲିକ, ମାସକୁ ୧୫ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଏ ତାଲିକାରେ ଯୋଗ୍ୟ ହିତାଧିକାରୀ କରାଯାଇଥିବା ଅଭିଯୋଗ ହୋଇଛି । ହେଲେ ଆଦୌ ଘର ନ ଥିବା, ଭଙ୍ଗା କୁଡ଼ିଆରେ ରହୁଥିବା, ଜରି ପାଲ ତଳେ ବଞ୍ଚୁଥିବା, ମାନସିକ ବିକୃତ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି  । ଅନ୍ୟପକ୍ଷରେ ଗୋଟିଏ ପରିବାରରୁ ବାପ ପୁଅ, ଦୁଇ ଭାଇ ଓ ପୂର୍ବରୁ ପାଇଥିବା ଲୋକ ବି ଏଥର ଯୋଗ୍ୟ ହିତାଧିକାରୀ ହୋଇଛନ୍ତି ।  ଏଭଳି ତ୍ରୁଟିପୂର୍ଣ୍ଣ ହିତାଧିକାରୀ ଚୟନକୁ ବିରୋଧ କରି ବିରୋଧୀ ବିଜୁ ଜନତା ଦଳର ସ୍ଥାନୀୟ ନେତା ଧାମନଗର ବିଡିଓ ବନବିହାରୀ ଦିନ୍ଦାଙ୍କ ପାଖରେ ଫେରାଦ ହୋଇଛନ୍ତି । ଏନେଇ ବିଡିଓ କହିଛନ୍ତି ଯେ, ଅଭିଯୋଗର ତଦନ୍ତ କରାଯିବ । ତା ପରେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।