ଆମ୍ବ ଖାଇବାକୁ ଆସି କୂଅରେ ପଡିଲା ଭାଲୁ
ଆନନ୍ଦପୁର : ଆମ୍ବ ଖାଇବାକୁ ଆସି ପରିତ୍ୟକ୍ତ କୂଅରେ ଖଶି ପଡିଲା ଭାଲୁ ଛୁଆ । ଆଉ ଛୁଆକୁ ନେବା ପାଇଁ କୂଅ ନିକଟରେ ଜଗି ରହିଲା ମା ଭାଲୁ ସହିତ ଏକ ଅଣ୍ଡିରା ଭାଲୁ । ଆନନ୍ଦପୁର ବନଖଣ୍ଡ ଅଧିନ ପୁରୁଣାବାନ୍ଧଗୋଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୩ ଗୋଟି ଭାଲୁ ଗତକାଲି ବିଳମ୍ବିତ ରାତିରେ ଆମ୍ବ ଖାଇବାକୁ ନିକଟସ୍ଥ ପୁରୁଣାବାନ୍ଧଗୋଡ଼ା ଗ୍ରାମକୁ ଆସୁଥିବା ବେଳେ ଅନ୍ଧାରରେ ଭାଲୁ ଛୁଆଟି ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଗଳି ପଡିଥିଲା । ଆଉ ଛୁଆକୁ ନେବା ପାଇଁ ତା ମା ଏବଂ ଅନ୍ୟ ଅଣ୍ଡିରା ଭାଲୁ କୂଅ ନିକଟରେ ଜଗି ରହିଲେ । ଖବର ପାଇ ବନ ବିଭାଗ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲେ । ଭାଲୁ ଛୁଆକୁ ଜାଲ ପକାଇ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଥିବା ସମୟରେ ଅନ୍ୟ ଦୁଇଗୋଟି ଭାଲୁ ଉଦ୍ଧାରକାରୀ ଟିମକୁ ବାରମ୍ବାର ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ । ଯଦ୍ୱାରା କି ଉଦ୍ଧାରକାରୀ ଟିମକୁ ନାକେଦମ ହେବାକୁ ପଡିଥିଲା । ଶେଷରେ ଭାଲୁ ଛୁଆକୁ ଉଦ୍ଧାର କରି ଅନ୍ୟ ଦୁଇ ଭାଲୁଙ୍କୁ ବନ ବିଭାଗ ଜଙ୍ଗଲରେ ଛାଡି ଦେଇଥିବା ନେଇ ରେଞ୍ଜ ଅଧିକାରୀ ନବ କିଶୋର ନାଏକ ସୂଚନା ଦେଇଛନ୍ତି ।