ଆରମ୍ଭ ହୋଇଗଲାଣି ତାସଖେଳର ଆସର : ପୁଲିସର ଦୃଷ୍ଟି ଆଢୁଆଳରେ ଚାଲିଛି ଜୁଆଆଡ୍ଡା
ବୁଗୁଡ଼ା,୨୯ା୯ : ବୁଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି । ପୁଲିସ ମଧ୍ୟ ଏହି ବେଆଇନ ଜୁଆଖେଳ ନିୟନ୍ତ୍ରଣ କରିବାକୁ କୌଣସି ଆଖିଦୃଶିଆ ଉଦ୍ୟମ କରୁନଥିବା ଦେଖିବାକୁ ମିଳିଛି । ବିଶେଷ କରି ପାର୍ବଣ ଋତୁ ବା ଦଶହରା ଆସିଲେ ବୁଗୁଡ଼ା ଅଞ୍ଚଳ ହୁଏ ଚଳଚଞ୍ଚଳ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ସବୁଠି ଚାଲେ ଜୁଆଖେଳର ଆସର । ମା’ ଦୁର୍ଗାଙ୍କ ଆଗମନ କିମ୍ବା କୁମାର ପୁର୍ଣ୍ଣିମା ଉତ୍ସବକୁ ନେଇ ଲୋକମାନେ ଯେତିକି ଉତ୍ସାହିତ ହୋଇଥାନ୍ତି , ସାଙ୍ଗସାଥୀ ଓ ପରିବାର ଲୋକଙ୍କ ମଧ୍ୟରେ ତାସ ଖେଳିବା ପାଇଁ ମଧ୍ୟ ତା'ଠାରୁ ଢେର ଅଧିକ ଉତ୍ସାହିତ ହୋଇ ପଡ଼ିଥାନ୍ତି । କାଳକ୍ରମେ ଏହି ତାସଖେଳ କିଛି ଲୋକଙ୍କ ପାଇଁ ଜୁଆଖେଳର ପରମ୍ପରାରେ ପରିଣତ ହୋଇ ନିଶା ପାଲଟି ଯାଇଥିବାର ଦେଖିବାକୁ ମିଳୁଛି । ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତି ଜୁଆଖେଳ ପ୍ରତି ଆଶକ୍ତ ହୋଇ ପଡୁଛନ୍ତି । କେବଳ ଯେ ଦଶହରା ବା କୁମାର ପୂର୍ଣ୍ଣିମା ନୁହେଁ ବର୍ଷର ପ୍ରାୟ ସବୁ ସମୟରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆଖେଳ ଚାଲୁଥିବାର ନଜିର ରହିଛି । ପରିତ୍ୟକ୍ତ ସ୍ଥାନରେ , ନିଛାଟିଆ ଘର ମଧ୍ୟରେ, ଗାଁ ନିକଟ ତୋଟା ଓ ଜଙ୍ଗଲ ମଧ୍ୟରେ ଜୁଆଖେଳ ଜୋରସୋରରେ ଚାଲିଥିବା ଅଭିଯୋଗ ହୋଇଛି । ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।