ରାସ୍ତା ପାଲଟିଛି ମରଣଯନ୍ତା  

ବୁଗୁଡ଼ା : ବୁଗୁଡ଼ା ସହରର ଅରବିନ୍ଦ ନଗର ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ମରାମତି ହେଉ ନ ଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି । ପୂର୍ବରୁ ଏହି ରାସ୍ତାରେ ପଡ଼ିଥିବା ପେଭେର ଭାରି ଯାନ ଯୋଗୁଁ ପେଭେର ଉଠି ଖାଲଖମା ହୋଇଯାଇଛି । ବର୍ଷା ପାଣି ଜମି ରହିବା ଫଳରେ ଖାଲ ଦେଖା ଯାଉ ନଥିବାରୁ ଯାନବାହାନ ଧରି ସେହି ରାସ୍ତାରେ ଯିବାବେଳେ ଗାଢ ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଅରବିନ୍ଦ ନଗରରେ ଅନେକ କୋଚିଂ ସେଣ୍ଟର ରହିଥିବାରୁ ସେହି ରାସ୍ତା ଦେଇ ସ୍କୁଲ ଓ କଲେଜର ଶହ ଶହ ଛାତ୍ରଛାତ୍ରୀ ଦୈନିକ ଦୁଇ ବେଳା ଯିବା ଆସିବା କରିବା ସମୟରେ ସେହି ଗାଢ଼ ଜାଗାରେ ହିଁ ସମସ୍ୟାରେ ପଡୁଛନ୍ତି  । ଦୀର୍ଘ ଦିନ ହେଲା ସେହି ରାସ୍ତାରେ ଏଭଳି ଗାଢ ସୃଷ୍ଟି ହୋଇଥିଲେ ହେଁ ତାହା ସ୍ଥାନୀୟ ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି  । ବିଶେଷ କରି ବର୍ଷା ହେଉଥିବା ସମୟରେ ସେହି ଗାଢଟି ଜଳପୂର୍ଣ୍ଣ ରହୁଥିବାରୁ ପଦଚାରୀଙ୍କ ପାଇଁ ସମସ୍ୟା ସାଙ୍ଗକୁ ଯାନବାହାନ ଚାଳକଙ୍କ ପାଇଁ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି । ଅନେକ ସମୟରେ ବିଭିନ୍ନ ଯାନବାହାନ ସେଠାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି  । ତେଣୁ ଅରବିନ୍ଦ ନଗର ରାସ୍ତାରେ ରହିଥିବା ସେହି ବିପଦ ଆହ୍ୱାନକାରୀ ଗାତକୁ ମରାମତି କରିବା ଦିଗରେ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏନ୍ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି । ଏ ନେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପଚାରିବାରେ ଏହି ରାସ୍ତାରେ ଭାରିଯାନ ନ ନେବା ପାଇଁ ଅନୁରୋଧ କରାଯାଉଥିଲେ ହେଁ କିଛି ବ୍ୟବସାୟୀ ଏହାକୁ ମାନୁନଥିବା କହି ତୁରନ୍ତ ଏହି ରାସ୍ତାର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।