ସିନ୍ଦୂର ଖେଳରେ ବିଦାୟ ନିଅନ୍ତି ମା'

ଶାରଦୀୟ ଦୁର୍ଗାପୂଜା ପାଇଁ ତମାମ କେନ୍ଦ୍ରାପଡ଼ା ଜିଲ୍ଲା ଉତ୍ସବ ମୁଖର ହୋଇଉଠିଛି । ମା'ଙ୍କ ଆଗମନରେ କାଶତଣ୍ଡୀର ଖିଲିଖିଲି ହସରେ ସଜେଇ ହୋଇଛି ଧରାପୃଷ୍ଟ । ଏହି କ୍ରମରେ ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଅଧିନ ରାମନଗର ବଣିକ ସଂଘ ପକ୍ଷରୁ ଆୟୋଜନ ହେଉଥିବା ଦୁର୍ଗା ପୂଜା ୭୩ ତମ ବର୍ଷରେ ପଦାର୍ପଣ କରିଛି । ରବିବାର ଷଷ୍ଠୀ ଠାରୁ ମା ଦୂର୍ଗାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ, ଏଠାରେ ସମ୍ପୂର୍ଣ୍ଣ ବଙ୍ଗୀୟରୀତିନୀତିରେ ମା’ଙ୍କୁ ପୂଜା କରାଯାଇଥାଏ । ମହାସପ୍ତମୀରେ ଭୋର୍ ସମୟରେ ନବ ପତ୍ରିକା ପ୍ରବେଶ ବିଧି ସମାପନ କରାଯାଉଥିବା ବେଳେ ମା’ଙ୍କର ମହାସ୍ନାନ, ଚଣ୍ଡୀ ପାଠ, ଷୋଡ଼ଶ ଉପଚାର ପୂଜା ଏବଂ ହୋମ ପରେ ବିଳମ୍ବିତ ରାତ୍ର ସମୟରେ ଅଧରାତ୍ର ପୂଜା ବିଧି ସମାପନ ହୋଇଛି । ରାମନଗର ବଣିକ ସଂଘ ସଭାପତି ମିଲନ ଦେବନାଥଙ୍କ ସୂଚନା ଅନୁଯାୟୀ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବମୀ ତିଥିରେ ଅସହାୟ ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ସଂଘ ପକ୍ଷରୁ ନୂତନ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହେବ। ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଚାରି ଦିନରେ ମା’ଙ୍କ ଚାରି ପ୍ରକାରର ପ୍ରସାଦ ଭକ୍ତମାନଙ୍କୁ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ବଣିକ ସଂଘର ଉପସଭାପତି ତରୁଣକାନ୍ତି କାଞ୍ଜିଲାଲ କହିଛନ୍ତି, ମା’ଙ୍କ ପୂଜାରେ ଢାକ ବାଜା ନବାଜିଲେ ପୂଜା ଅସଂପୂର୍ଣ୍ଣ ରହିଯାଏ । ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁଦୂର କଲିକତାରୁ ଆମ ବଣିକ ସଂଘ ପକ୍ଷରୁ ଢାକିମାନଙ୍କୁ ଅଣାଯାଇ ପାରମ୍ପରିକ ବାଦ୍ୟ ପରିବେଷଣ କରାଯାଉଛି । ରାମନଗର ବଣିକ ସଂଘର ସଦସ୍ୟ ଅରୂପ ମିର୍ଦ୍ଧା କହିଛନ୍ତି ଯେ, ରାମନଗର ବଣିକ ସଂଘର ମା’ ଦୁର୍ଗାଙ୍କ ପୂଜାର ସବୁଠୁ ବିଶେଷ ଆକର୍ଷଣ ହେଉଛି ଦଶହରା ପରଦିନ ମା' ଙ୍କ ବିଦାୟୀ ସମୟରେ ସିନ୍ଦୂର ଖେଳ ପରମ୍ପରା । ମା' ପାଣିକୁ ଯିବା ପୂର୍ବରୁ ଶତାଧିକ ମହିଳା, ପୁରୁଷ, ଯୁବକ ଯୁବତୀ, ଆବାଳ ବୃଦ୍ଧ ବନିତା ଏକାଠି ହୋଇ ସିନ୍ଦୂର ଖେଳି କୋହ ଭରା ହୃଦୟରେ ମା’ଙ୍କୁ ମେଲଣ ଦିଅନ୍ତି । ତେବେ ରାମନଗର ବଜାର ଆଲୋକ ମାଳାରେ ସଜେଇ ହୋଇଥିବା ବେଳେ ତିନି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ରାମନଗର ବଣିକ ସଂଘ ପକ୍ଷରୁ କୁହାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନିୟ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।