ଜାଲ ଦସ୍ତଖତ କରି ଟଙ୍କା ଉଠାଣ 

 ଜାରକା: ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ଠାରେ କିଛି ବର୍ଷ ତଳେ ଆରମ୍ଭ ହୋଇଥିବା ଜେନିଥ +୨ ସାଇନ୍ସ କଲେଜର ପିଛା ଛାଡୁନି ବିବାଦ । କିଛି ଦିନ ପୂର୍ବରୁ କଲେଜର ଅନିଶ୍ଚିତ ଭବିଷ୍ୟତକୁ ନେଇ ଛାତ୍ରା ଅଭିଭାବକ କଲେଜ ପରିସରରେ ଧାରଣା ଦେବା ସହ  ଅନିୟମିତତା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଗୋଟିଏ ଦିନ ମଧ୍ୟରେ ୫୬ ଜଣ ଛାତ୍ରଛାତ୍ରୀ ଟିସି ନେଇ ଅନ୍ୟତ୍ର ନାମ ଲେଖାଇବାକୁ ଅଡି ବସିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମସ୍ୟା ସମାଧାନ ପ୍ରତି ଦୃଷ୍ଟି ଦେଇନଥିଲେ । ଫଳସ୍ୱରୂପ ଧର୍ମଶାଳା ଥାନାରେ ଅଭିଭାବକ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ ହସ୍ତକ୍ଷେପ ପରେ ଅନେକ ପିଲା ଟିସି ନେଇ ଯାଇଥିଲେ । ଠିକ ମାସକ ପରେ ଶନିବାର କଲେଜ କର୍ତ୍ତୃପକ୍ଷ ବ୍ୟାଙ୍କ ଖାତାରୁ ୩ ଲକ୍ଷ ୭୦ହଜାର ଟଙ୍କା ଦସ୍ତଖତ ଜାଲିଆତି କରି ଉଠାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ  ଚିନ୍ତାମଣି ଦଳେଇ ନାମକ ବ୍ୟକ୍ତି ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଜେନିଥ କଲେଜର ଜମା ଖାତା ପ୍ରଫୁଲ୍ଲ ଦଳେଇ ଓ ଚିନ୍ତାମଣି ଦଳେଇଙ୍କ ନାମରେ ରହିଛି । ହେଲେ ପ୍ରଫୁଲ୍ଲ ତାଙ୍କ ଅଗୋଚରରେ ଏଚଡିଏଫସି ବ୍ୟାଙ୍କ ଜାରକା ଶାଖାରୁ ଟଙ୍କା ଉଠାଇ ନେଇଛନ୍ତି । ଚିନ୍ତାମଣି ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ପ୍ରଫୁଲ୍ଲଙ୍କୁ ପଚାର ଉଚରା ପାଇଁ ଡକା ଯାଇଥିବା ଜଣାପଡ଼ିଛି । ଏଥିସହିତ କଲେଜ ତିଆରି ସମୟରେ ଯେଉଁ ଟ୍ରଷ୍ଟ ନାଁରେ ଜମା ଖାତା କରାଯାଇଥିଲା ସେଥିରେ ମଧ୍ୟ ଦୁଇ ଟ୍ରଷ୍ଟିଙ୍କ ଦସ୍ତଖତ ଜାଲି ହୋଇଥିବା ମଧ୍ୟ ଦଲେଇ ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ପରେ ବିବାଦ ଓ ଜାଲି ଦସ୍ତଖତ ଘଟଣାର ପର୍ଦ୍ଦାଫାଶ ହୋଇ ପାରିବ ଏବଂ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ ବୋଲି ଚିନ୍ତାମଣି କହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ମଧ୍ୟ କରାଯାଇଛି ।