ବିଲୁପ୍ତ ପ୍ରାୟ ପାରମ୍ପାରିକ କୌଳିକ ବୃତ୍ତି


ନୂଆପଡାରୁ ପରମେଶ୍ୱର ବାରିକ 
ଲୌହଦାନବ ରୁପରେ ଟ୍ରକ, ଟ୍ରାକ୍ଟର, ପିକଅପ୍  ଆସିବାରୁ ଚଷା ଭାଇଙ୍କ ଶଗଡଗାଡି ଏବଂ ହଳଲଙ୍ଗଳ କାର୍ଯ୍ୟକୁ ପ୍ରଭାବିତ କଲା  । ଚିନ ଦେଶର ସୌକିନ ସାମଗ୍ରୀ ବ୍ୟବହାର ଫଳରେ  କୁମ୍ଭାର ଭାଇ ମାନଙ୍କ ମାଟି ତିଆରି ବିଭିନ୍ନ ଆକର୍ଷଣୀୟ ସାମଗ୍ରି ବ୍ୟବସାୟ ଠପ୍ ହୋଇଗଳା  । ଦୈନନ୍ଦିନ ବ୍ୟବହାରିକ ପ୍ଲାଷ୍ଟିକ ନିର୍ମିତ ବିଭିନ୍ନ  ସୌକିନ  ସାମଗ୍ରୀ ପାଇଁ ଆଦିବାସୀ ମାନଙ୍କ ବାଉଁଶ ତିଆରୀ ସାମଗ୍ରୀ ଚାହିଦା କମିଗଲା  । ସେହିଭଲି କାଗଜ ନିର୍ମିତ ଖଳିଦନା ବ୍ୟବହାର ଫଳରେ ପତ୍ର ନିର୍ମିତ ଖଲିଦନାର ଚାହିଦା କମ୍ ହୋଇଗଲା । ଏହି ଚିନ୍ତାରେ ଚିନ୍ତିତ କୌଳିକ ବୃତ୍ତିକରି କିଛି ଅର୍ଥ ରୋଜଗାର କରୁଥିବା ଅଧିବାସୀ ଏବଂ କୁମ୍ଭାରମାନେ । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ମାନଙ୍କ କୌଲିକ ବ୍ୟବସାୟ ପ୍ରଭାବିତ ହେବା ସହିତ ଗ୍ରାମାଞ୍ଚଳର କୌଲିକ ଶ୍ରମଜୀବୀ ମାନଙ୍କର ମଧ୍ୟ ରୋଜଗାର କମିଯାଇଛି । ଏଭଳି ଏକ ସୂଚନା ଆସିଛି ନୂଆପଡା ଜିଲ୍ଲା ସଦର ସିନାପାଲିର ଚିନ୍ଦା ପଡାରୁ । ସେମାନେ କହିବା ଅନୁସାରେ ପୁରୁଷାନୁକ୍ରମେ  ସେମାନଙ୍କ ପରିବାର କୌଳିକ ବୃତ୍ତି ଭାବରେ ପତ୍ର ନିର୍ମିତ ଖଳିଦନା ତିଆରି କରି ଆସୁଛନ୍ତି । ସେମାନେ ଜଙ୍ଗଲକୁ ଯାଇ ବହୁ କଷ୍ଟରେ ପତ୍ର ତୋଳିଆଣି ଖଳିଦନା ନିର୍ମାଣ କରିଥାନ୍ତି । ଆଗେ ଏହି ବ୍ୟବସାୟରେ ଭଳ ଅର୍ଥ ରୋଜଗାର ହେଉଥିଲା, ହେଲେ ବର୍ତ୍ତମାନ ପ୍ଲାଷ୍ଟିକ ଏବଂ କାଗଜ ନିର୍ମିତ ଖଳିଦନାର ଚାହିଦା ପ୍ରବଳ ମାତ୍ରାରେ ରହିଥିବା ହେତୁ, ସେମାନଙ୍କ କୌଲିକ ଜୀବିକା ପ୍ରଭାବିତ ହବା ସହିତ,  ସେମାନେ ଘୋର ଅର୍ଥିକ ସଙ୍କଟରେ ଗତିକରୁଛନ୍ତି । ସିନାପାଲିର ଚିନ୍ଦା ପରିବାର କହିବା ଅନୁସାରେ, ସେମାନେ ହେଉଛନ୍ତି ଚିନ୍ଦା ଭୁଞ୍ଜିଆ ଜାତି, ହେଲେ ସେମାନଙ୍କୁ   ସରକାର ଭୁଞ୍ଜିଆ ଶ୍ରେଣୀରେ ନେଉନାହାନ୍ତି , ଯାହାଫଳରେ ଏମାନେ  ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଲାଭ ପାଇବାରୁ ବଞ୍ଚିତ ରହୁଛନ୍ତି  । ସେମାନେ ସରକାରଙ୍କ ଠାରେ ଦାବି ରଖୁଛନ୍ତି ଯେ, ସେମାନଙ୍କୁ ମଧ୍ୟ ଚକୋଟିଆ ଭୁଞ୍ଜିଆର ମାନ୍ୟତା ଦେଇ ସମସ୍ତ ଆଦିବାସୀ କଲ୍ୟାଣକାରି ଯୋଜନାରେ  ଅନ୍ତର୍ଭୁକ୍ତ  କରାଯାଉ । ଏବିଷୟନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚ୍ଚା ବେସ ଜୋର ଧରିଛି  । ସରକାର ଏଭଳି କୌଲିକ ଶ୍ରମଜୀବୀ ମାନଙ୍କୁ ଚିହ୍ନଟକରି, ତାଙ୍କର ଜୀବିକାକୁ କୁଟୀରଶିଳ୍ପ ମାନ୍ୟତା ଦେଇ, ସେମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାମଗ୍ରିକୁ ବିକ୍ରି କରିବା ପାଇଁ ସୁବ୍ୟବସ୍ଥା କରିବା ସହିତ ପ୍ରଚାର ପ୍ରସାର କରିବା ଦିଗରେ  ପଦକ୍ଷେପ ନିଅନ୍ତୁ । ଏହା ସହିତ ସେ ମାନଙ୍କୁ ଅର୍ଥିକ ସହଯୋଗ କରି ସ୍ୱବଲମ୍ବୀ ହେବାପାଇଁ ଶକ୍ତି ପ୍ରଦାନ କରନ୍ତୁ ।  କୌଲିକ ବୃତ୍ତିକୁ ଚିରକାଳରୁ ଆପଣେଇ, ପ୍ରାକୃତିକ ବସ୍ତୁରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରି ପରିବାର ପୋଷଣ କରିବା ସହିତ ପରିବେଶକୁ ସୁସ୍ଥସବଳ ରଖୁଥିବା, ଏହି ନିରୀହ ଅଧିବାସୀ ମାନଙ୍କ ଦ୍ୱାରା ନିର୍ମିତ  ବିଭିନ୍ନ ସାମଗ୍ରିର ଚାହିଦା କେତେ ରହୁଛି ତାହା ଦେଖିବାର ଅଛି  । ବର୍ତ୍ତମାନ  ପ୍ଲାଷ୍ଟିକ ମୁକ୍ତ ଭାରତ ଯୋଜନା କ୍ରମେ, ପ୍ରଦୂଷଣକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜନ ପୂର୍ବକ, ଏମାନଙ୍କ ଦ୍ୱାରା ନିର୍ମିତ ପରିବେଶ ସହାୟକ ପାରମ୍ପରିକ ସାମଗ୍ରୀ ଗୁଡିକୁ ଆପଣେଇବା ପାଇଁ ଉପଭୋକ୍ତା ମାନେ ସଚେତନ ହୋଇ, ତତ୍ପରତାର ଦେଖାଇବା ନିହାତି ଜରୁରୀ ହୋଇପଡିଛି ।