ଆହାର କେନ୍ଦ୍ରରେ ‘ଆହାର' ନିଅଣ୍ଟ


କେନ୍ଦ୍ରାପଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡସିଂ : ଆହାର କେନ୍ଦ୍ରରେ ନିଅଣ୍ଟ ହେଉଛି ଆହାର । ଘଣ୍ଟାକରେ ସରିଯାଉଛି ଅଢେଇ ଶହ ମିଲ୍ । ତାପରେ ମିଳୁନି ଖାଇବା, ଅସନ୍ତୁଷ୍ଟ ହୋଇ ଖାଲି ପେଟରେ ଫେରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚଲକିତ୍ସାଳୟ ଆହାର କେନ୍ଦ୍ରରେ । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଆସୁଛନ୍ତି ହଜାର ହଜାର ସଂଖ୍ୟାରେ ରୋଗୀ । ସେମାନଙ୍କ ମଧ୍ୟରୁ ଶତାଧିକ ଗୁରୁତର ରୋଗୀ ଚିକିତ୍ସାଳୟରେ ଭର୍ତ୍ତି ହୋଇ ରହୁଛନ୍ତି । ସେମାନଙ୍କର ଦେଖା ଶୁଣା କରିବାକୁ ରୋଗୀଙ୍କ ସମ୍ପର୍କୀୟ ରହିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ପାଇଁ ସରକାରଙ୍କ ଚିକିତ୍ସାଳୟରେ ଖୋଲାଯାଇଛି "ଆହାର କେନ୍ଦ୍ର’ । ଯେଉଁଠାରେ କି ସରକାରଙ୍କ ତରଫରୁ ୫ ଟଙ୍କା ବିନିମୟରେ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ । ଉଦେ୍ଦଶ୍ୟ ହେଉଛି ଚିକିତ୍ସାଳୟରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟ ଏହାର ଲାଭ ଉଠାଇ ପାରିବା ସହିତ ଭୋଜନ ଜନିତ ଆର୍ଥିକ ବ୍ୟୟରୁ ରକ୍ଷା ପାଇପାରିବେ । କିନ୍ତୁ ଅଭିଯୋଗ ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହାର କେନ୍ଦ୍ର ଖୋଲିବାର ଘଣ୍ଟାଏ ମଧ୍ୟରେ ଅଢେଇ ଶହ ମିଲ୍ ସରିଯାଉଛି । ଫଳରେ ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ନପାଇ ସେଠାରୁ ଅଖିଆ ଫେରି ବାଧ୍ୟ ହୋଇ ବାହାରେ ଖର୍ଚ୍ଚାନ୍ତ ହୋଇ ବିଭିନ୍ନ ହୋଟେଲରେ ଖାୁଛନ୍ତି । ପ୍ରାୟତଃ ମାସରେ ସବୁଦିନ ଏପରି ସମସ୍ୟା ହେଉଛି ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ତେବେ ବାସ୍ତବରେ ଘଣ୍ଟାକରୁ କମ୍ ସମୟ ଭିତରେ ଅଢେଇ ଶହ ମିଲ୍ ସରିଯାଉଛି ନା କେନ୍ଦ୍ରକୁ କମ୍ ମିଲ୍ ଆସୁଛି ତାହା ତଦନ୍ତ ସାପେକ୍ଷ । ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ତେବେ ଏହି ବିଷୟରେ ଏଡିଏମ୍ଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଆହାର କେନ୍ଦ୍ରର ଦାଇତ୍ୱ ପୌରପାଳିକା ଅଧିକାରୀ ବୁଝୁଛନ୍ତି ଏବଂ ଅଢେଇ ଶହ ମିଲ୍ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ରରେ ଦିଆଯାଉଥିବା ବେଳେ, ଆଉ ଅଢେଇ ଶହ ମିଲ ବନ୍ଦ ହୋଇଯାଇଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ରରେ ଦିଆଯାଉଛି ।
ତେବେ ପ୍ରଶ୍ନ ଉଠିଛି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଥିବା ଆହାର କେନ୍ଦ୍ରରେ ଆହାର ନିଅଣ୍ଟ ହେଉଥିବା ବେଳେ, ବନ୍ଦ ହୋଇଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ରରେ କାହା ସ୍ୱାର୍ଥରେ ଅଢେଇ ଶହ ମିଲ୍ ଦିଆଯାଉଛି? ତା ସହିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ କୌଣସି ରୋଗୀଙ୍କ ସମ୍ପର୍କୀୟ କିମ୍ବା କୌଣସି ଅଭାବ ଅନଟନର ଶିକାର ହୋଇଥିବା ବ୍ୟକ୍ତି ଆସୁନାହାନ୍ତି । ତେବେ ଏଠାରେ ୫ ଟଙ୍କାର ଆହାର ଖାଉଛି କିଏ? ସହରର ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକମାନେ ଏହାର ଫାଇଦା ଉଠାଉ ନାହାଁନ୍ତି ତ? ଆହାର କେନ୍ଦ୍ର ପରିଚାଳନା ପାଇଁ ଦାଇତ୍ୱ ନେଇଥିବା ସଂସ୍ଥା ଉପରେ ସ୍ଥାନୀୟ ବୁଦ୍ଧିଜୀବୀ ସନେ୍ଦହ ପ୍ରକଟ କରିବା ସହିତ ଏହା ଉପରେ ବିଭାଗୀୟ ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନିହାତି ଆବଶ୍ୟକ ରହିଛି ।